Categories: ଜାତୀୟ

ରାସ୍ତା କ୍ୟାଟ୍ରିନାଙ୍କ ଗାଲ ଭଳି ହେବା କଥା

ଜୟପୁର,୨୫।୧୧: ରାଜସ୍ଥାନର ଗେହଲଟ ସରକାରରେ ନୂଆକରି ମନ୍ତ୍ରୀ ହୋଇଥିବା ରାଜେନ୍ଦ୍ର ସିଂ ଗୁଧାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତାଙ୍କ ନିର୍ବାଚନମଣ୍ଡଳୀର ରାସ୍ତାଗୁଡ଼ିକ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ ଗାଲ ଭଳି ମସୃଣ ହେବା ଉଚିତ ବୋଲି ରାଜେନ୍ଦ୍ର କହୁଥିବା ଉକ୍ତ ଭିଡିଓରେ ଦେଖିବାକୁ ମିଳିଛି। ଅନେକ ୟୁଜର୍ସ ଏହାକୁ ଅନୁପଯୁକ୍ତ କହି ସମାଲୋଚନା କରିଛନ୍ତି। ଏହା ସହ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏହା ଉପରେ ବିବୃତି ଦିଅନ୍ତୁ ବୋଲି ଦାବି କରିଛନ୍ତି।
ନିଜ ନିର୍ବାଚନମଣ୍ଡଳୀ ଉଦୟପୁରଓ୍ବାତିରେ ଲୋକଙ୍କୁ ସମ୍ବୋଧିତ କରିବାବେଳେ ଭିଡ଼ ଭିତରୁ କେହି ଜଣେ ରାଜ୍ୟର ରାସ୍ତାଗୁଡ଼ିକର ଦୁରବସ୍ଥାକୁ ନେଇ ଅଭିଯୋଗ ଆଣିଥିଲେ। ଏହାର ଉତ୍ତରରେ ସୈନିକ କଲ୍ୟାଣ, ହୋମ୍‌ଗାଡର୍‌ସ, ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରାଜେନ୍ଦ୍ର ସିଂ ଗୁଧା ଉପରୋକ୍ତ ମନ୍ତବ୍ୟକୁ ବାରମ୍ବାର ଦୋହରାଇଥିଲେ। ପ୍ରିୟଙ୍କା ରାଜନୀତିରେ ମହିଳାଙ୍କ ଅଧିକ ପ୍ରତିନିଧିତ୍ୱ ଉପରେ ପ୍ରତିଶ୍ରୁତି ଦେଉଥିବାରୁ ତାଙ୍କ ଦଳର ଜଣେ ମନ୍ତ୍ରୀ ଦେଇଥିବା ବୟାନକୁ ନେଇ ଜବାବ ଦିଅନ୍ତୁ ବୋଲି ଦାବି ହୋଇଛି।

Share