ସୁନ୍ଦରଗଡ଼,୩୦।୮(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକର ଏମ୍ସିଏଲଠାରୁ ସୁନ୍ଦରଗଡ଼ ଓ କନିକା ସାଇଡିଂ ପର୍ଯ୍ୟନ୍ତ ବିଭିନ୍ନ ଟ୍ରକ ଯୋଗେ କୋଇଲା ପରିବହନ ହେଉଛି। ପ୍ରତିଦିନ ଏମ୍ସିଏଲ୍ରୁ ହଜାର ହଜାର ଟ୍ରକ ଲାଇନ କରି ବିଭିନ୍ନ କଳକାରଖାନାକୁ କୋଇଲା ପରିବହନ କରୁଛନ୍ତି। ଏହି କୋଇଲା ବୋଝେଇ ଟ୍ରକ ଏତେ ମାତ୍ରାରେ ହେଉଛି ଏହାର କୌଣସି ଟ୍ରାଫିକ ନିୟମ ନ ହେବାରୁ ଘଣ୍ଟା ଘଣ୍ଟା ରାସ୍ତା ଉପରେ ଟ୍ରକଗୁଡିକ ଲମ୍ବା ଧାଡିକରି ଠିଆ ହେଉଛି। ଫଳରେ ବିଭିନ୍ନ ସ୍ଥାନରେ ସାଧାରଣ ଜନତାଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଆମ୍ବୁଲାନ୍ସ ଯିବାକୁ ମଧ୍ୟ ରାସ୍ତା ମିଳୁନାହିଁ। ଏପରିକି ସୋମବାର ସାରେ ଗର୍ଜନବାହାଲଠାରେ ଦୀର୍ଘ ସaମୟ ରାସ୍ତା ଜାମ ହୋଇଥିଲା। ଫଳରେ ସେହି ରାସ୍ତା ଦେଇ ଯାଉଥିବା ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ରାସ୍ତା ଉପରେ ଠିଆ ହୋଇ ରାସ୍ତା ଜାମ ଖାଲି କରେଇଥିଲେ। କିଛି ଦିନ ପୂର୍ବରୁ ଏମ୍ସିଏଲ୍ କର୍ତ୍ତୃପକ୍ଷ ଓ ସ୍ଥାନୀୟ ପୋଲିସ ପ୍ରଶାସନ, ବିଧାୟିକା କୁସୁମ ଟେଟେଙ୍କ ଉପସ୍ଥିତିରେ ଏହି ଦୁଇ ଲେନ ବିଶିଷ୍ଟ ରାସ୍ତାରେ ଗୋଟିଏ ପଟେ ଜନସାଧାରଣ ଓ ଅନ୍ୟ ପଟଟି କୋଇଲା ବୋଝେଇ ଟ୍ରକ ଚଳାଚଳ ବ୍ୟବହାର କରିବା ପାଇଁ ସ୍ଥିର ହୋଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ପାଳନ କରାଯାଉ ନ ଥିବାରୁ ଯଥାପୂର୍ବଂ ତଥା ପରଂ ପରିସ୍ଥିତି ଲାଗି ରହିଛି। ଏହାର ଶୀଘ୍ର ସମାଧାନ ପାଇଁ ଜନସାଧାରଣ ଦାବି ଜଣାଇଛନ୍ତି।