ଦାରିଙ୍ଗବାଡି,୨୩।୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ୫୯ ନଂ ଜାତୀୟ ରାଜପଥଠାରୁ ତେରବାଡି ଓ ତେରବାଡିଠାରୁ ଡଲାବାଡିକୁ ଗ୍ରାମ୍ୟ ଉନ୍ନୟନ ବିଭାଗର ପକ୍କା ରାସ୍ତା ସମ୍ପ୍ରସାରଣ ହୋଇଛି। ତେବେ ଜଳ ଯୋଗାଣ ପାଇଁ ଏକ ମେଗା ପ୍ରକଳ୍ପ କାର୍ଯ୍ୟ ଚାଲିଥିବା ବେଳେ ବେଆଇନ ଭାବେ ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତାକୁ ଉଭୟ ପଟରୁ ଖୋଳି ପାଇପ ବିଛାଇବା କାର୍ଯ୍ୟ ଚାଲିଛି। ଏନେଇ ଗ୍ରାମବାସୀ ଅଭିଯୋଗ କରିଥିଲେ ମଧ୍ୟ କାର୍ଯ୍ୟ କରୁଥିବା ଠିକା କମ୍ପାନୀ ଜୋର ଜବରଦସ୍ତ ଖୋଳି ରାସ୍ତାର ଅବସ୍ଥା ଶୋଚନୀୟ କରିଥିଲା। ଏନେଇ କେବଳ ଧରିତ୍ରୀରେ ଖବର ପ୍ରକାଶିତ ହେବା ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତତ୍ପର ହୋଇପଡିଛି। ମେଗା ଜଳ ପ୍ରକଳ୍ପର ଦାୟିତ୍ୱରେ ଥିବା ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ଅଧିକ୍ଷକ ଯନ୍ତ୍ରୀଙ୍କୁ ଦାରିଙ୍ଗବାଡି ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ୟାମସୁନ୍ଦର ସିଂ ଚିଠି ଲେଖିଛନ୍ତି। ଯେଉଁ ରାସ୍ତା ଖୋଳାଯାଇ ନଷ୍ଟ ହୋଇଛି ତାକୁ ତୁରନ୍ତ ମରାମତି କରିବା ସହ ଉକ୍ତ ଠିକା ସଂସ୍ଥାକୁ ଉକ୍ତ ରାସ୍ତାରେ ପାଇପ ଲାଇନ ପାଇଁ ଖୋଲିବାକୁ ବାରଣ କରିବାକୁ ନିର୍ଦ୍ଦେଶ ଦେବାକୁ ଚିଠିରେ ଜଣାଯାଉଛି। ଏବେ ଉକ୍ତ ରାସ୍ତା ଯେଉଁଭଳି ଖୋଲିଦିଆଯାଇଛି ସେଠି ବର୍ଷା ଜଳ ପ୍ରବେଶ କରି ରାସ୍ତା ନଷ୍ଟ ହୋଇଯିବାର ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ ବୋଲି କୁହାଯାଇଛି। ସେହିପରି ରାସ୍ତାର ଗାର୍ଡ ୱାଲ ପରଠାରୁ ଏକ ମିଟର ଦୂରତାରେ ଖୋଳି ପାଇପ ଲାଇନ ନେବାକୁ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦେବାକୁ ସେ ଚିଠିରେ ଜଣାଇଛନ୍ତି।
ସେ ଚିଠିରେ ଆହୁରି ଉଲ୍ଲେଖ କରିଛନ୍ତି ଯେ, ଗ୍ରାମ୍ୟ ଜଳ ଯୋଗାଣ ବିଭାଗ କିମ୍ବା ଉକ୍ତ ଠିକା ସଂସ୍ଥା ପକ୍ଷରୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ କୌଣସି ସୂଚନା କିମ୍ବା ଅନୁମତି ନ ନେଇ ପକ୍କା ରାସ୍ତାକୁ କଚ୍ଚା କରିଛନ୍ତି। ତେଣୁ ତୁରନ୍ତ ଏହାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେ ଚିଠିରେ ଜଣାଇଛନ୍ତି।