ରାସ୍ତା ସମସ୍ୟା ସମାଧାନ ନ ହେଲେ ଧାରଣା ଚେତାବନୀ

ଦଶମନ୍ତପୁର, ୧୩।୮(ଡି.ଏନ୍‌.ଏ.): ସ୍ବାଧୀନତାର ସାତ ଦଶନ୍ଧି ବିତିଯାଇଥିଲେ ସୁଦ୍ଧା ଏବେ ବି ଲୋକଙ୍କ ଗମନାଗମନ ନିମନ୍ତେ ସମସ୍ୟା ରହିଛି। ଦୀପ ତଳ ଅନ୍ଧାର ସଦୃଶ ବ୍ଲକ ସଦର ମହକୁମାରୁ ମାତ୍ର ଅଳ୍ପଦୂରରେ ଅବସ୍ଥିତ ଗାଁକୁ ଯିବା ପାଇଁ ନାହିଁ ପକ୍କାରାସ୍ତା l ସରକାର ଜନସାଧାରଣଙ୍କ ଯାତାୟାତରେ ସୁବିଧା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବ୍ଲକ ହେଡ୍‌କ୍ୱାର୍ଟରର ପଡ଼ୋଶୀ ଗାଁଗୁଡ଼ିକରେ ହୋଇନି ପକ୍କାରାସ୍ତା। ଏହାର ଜ୍ୱଳନ୍ତ ଉଦାହରଣ ହେଉଛି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ସଦର ପଞ୍ଚାୟତସ୍ଥିତ କେ.ଦଣ୍ଡାବାଡ଼ ଗାଁ।
ଏହି ଗାଁରେ ଆଦିବାସୀ, କମାର ଏବଂ ବିଷୋୟୀ ସମ୍ପ୍ରଦାୟର ଲୋକ ବସବାସ କରନ୍ତି l ହେଲେ ଆର୍‌ଡି ରାସ୍ତାଠାରୁ ଗାଁକୁ ମାତ୍ର ୩ କିମି ରାସ୍ତାର ଅବସ୍ଥା କହିଲେ ନ ସରେ। ରାସ୍ତାସାରା ସାନ ବଡ଼ ଗାତ ଭରି ରହିଛି। ଫଳରେ ସେଠାରେ ପାଣି ଜମି ଯାଉଛି। ଅଣଓସାରିଆ କାଦୁଅଭରା ମାଟିରାସ୍ତା ଯୋଗୁ ଜରୁରୀ ସମୟରେ ଆସିପାରୁନି ଆମ୍ବୁଲାନ୍ସ। କୌଣସି ଲୋକ ଅସୁସ୍ଥ ହେଲେ ସେମାନଙ୍କୁ ଭାରରେ ପକ୍କାରାସ୍ତା ପର୍ଯ୍ୟନ୍ତ ବୋହିନେବାକୁ ପଡ଼େ ବୋଲି ଗାଁର ଟଙ୍କଧର ବିଷୋୟୀ, ବାବୁଲା ବିଷୋୟୀ, ଲକ୍ଷ୍ମଣ ବିଷୋୟୀ, ଜଗନ୍ନାଥ ବିଷୋୟୀ, ଈଶ୍ୱର ହିକ୍‌କାଙ୍କ ସମେତ ଗ୍ରାମବାସୀ କହିଛନ୍ତି। ବାରମ୍ବାର ବ୍ଲକ ଓ ଜିଲା ପ୍ରଶାସନକୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳୁନି। ପ୍ରଶାସନ ସବୁ ଜାଣି ମଧ୍ୟ ସମାଧାନ ପ୍ରତି ଗୁରୁତ୍ୱ ଦେଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବିଧାୟକ ଓ ଏମ୍‌ପିଙ୍କୁ ମଧ୍ୟ ଏ ନେଇ ଜଣାଇଛୁ। ସମସ୍ୟା ସମାଧାନ ନେଇ ଏମ୍‌ପି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ପାଣିର ଗାର ହୋଇ ରହିଯାଇଛି ବୋଲି ବନମାଳୀ ବିଷୋୟୀ, ରାଇ ମାଣ୍ଡିଙ୍ଗ, ଚନ୍ଦ୍ର କମାର, ବଳରାମ କମାର, ମଙ୍ଗୁଲୁ ହିକ୍‌କା ପ୍ରମୁଖ ପ୍ରକାଶ କରିଛନ୍ତି। ଗତମାସରେ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ଜନଶୁଣାଣିରେ ଜିଲାପାଳଙ୍କୁ ଗୁହାରି ଜଣାଇବା ସତ୍ତ୍ୱେ ପ୍ରଶାସନ କେ.ଦଣ୍ଡାବାଡ଼ ଗ୍ରାମ ପ୍ରତି ଅଣଦେଖା କରୁଥିବା ଗ୍ରାମବାସୀ କହିଛନ୍ତି। ରାସ୍ତା ସମସ୍ୟା ଥିବାରୁ ସ୍ବଚ୍ଛ ପାନୀୟଜଳ ମିଳୁନି। ରାସ୍ତା ନ ଥିବାରୁ ନଳକୂପ ଖନନ ଗାଡ଼ି ଗାଁକୁ ଯାଇପାରୁନି। ତେଣୁ ବାଧ୍ୟହୋଇ ଲୋକେ ନଈ ଝରଣା ପାଣି ବ୍ୟବହାର କରୁଥିବା ଗ୍ରାମର ମହିଳାମାନେ ଅଭିଯୋଗ କରିଛନ୍ତି। ତେବେ ବ୍ଲକ କାର୍ଯ୍ୟାଳୟର ଅତି ନିକଟ ଗାଁଗୁଡ଼ିକର ସମସ୍ୟା ଯଦି ଏଭଳି ତ ଅନ୍ୟ ପଞ୍ଚାୟତର ସମସ୍ୟା କିଭଳି ଥିବ ତାହା ସହଜରେ ଅନୁମେୟ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି। ଯଥାଶୀଘ୍ର ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ପ୍ରଥମେ ରାସ୍ତା ଓ ପାନୀୟଜଳ ସମସ୍ୟା ସମାଧାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ନଚେତ ଆଗାମୀ ଦିନରେ ବ୍ଲକ ଏବଂ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମୂହ ଧାରଣା ଦେବୁ ବୋଲି ଉପସ୍ଥିତ ଗ୍ରାମବାସୀ କହିଛନ୍ତି।