ସମୁଦ୍ର ତଳେ ରାସ୍ତା…

ଓ୍ବାଶିଂଟନ, ୧୧।୫ : ରାସ୍ତା ପୁଣି ଗଭୀର ସମୁଦ୍ର ତଳେ, ଯେକେହି ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ତେବେ ଏହା ସତ୍ୟ। ପ୍ରଶାନ୍ତ ମହାସାଗରତଳେ ଏଭଳି ଏକ ରାସ୍ତା ରହିଛି। ମହାସାଗରରେ ହଳଦିଆ ବ୍ରିକ ରୋଡ ସମୁଦ୍ର ତଳୁ ଦେଖିବାକୁ ମିଳିଛି। ଏହାକୁ ନେଇ ସି ଡାଇଭର ଏବଂ ବିଶେଷଜ୍ଞମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ଯଦିଓ ଏହାର ପ୍ରକୃତ ଇତିହାସ ଏପର୍ଯ୍ୟନ୍ତ ଜଣା ପଡିନାହିଁ।

ପ୍ରଶାନ୍ତ ମହାସାଗରରେ ମିଳିଥିବା ଏହି ରାସ୍ତାକୁ ଏକ୍ସପ୍ଲୋରେସନ ଭେସେଲ ନାଟିଲସ ର ଗବେଷକମାନେ ଆବିଷ୍କାର କରିଛନ୍ତି। ଏହା ହାୱାଇ ଦ୍ୱୀପପୁଞ୍ଜର ଉତ୍ତରରେ ମିଳିଉୀ। ସମୁଦ୍ରର ଗଭୀରତାରେ ଚାଲିଥିବା ସର୍ଚ୍ଚ ଅପରେଶନ ସମୟରେ ବୈଜ୍ଞାନିକମାନେ ଏହି ହଳଦିଆ ରାସ୍ତା ଇଟାରେ ତିଆରି ହୋଇଥିବାର ଦେଖିଥିଲେ।

ସେମାନେ ମଧ୍ୟ ବୁଝିପାରିଲେ ନାହିଁ ଯେ ଏହି ରାସ୍ତା ସମୁଦ୍ର ଭିତରୁ କେଉଁଠୁ ଆସିଲା? ପୁଣି ଏହା କୁଆଡେ ଯାଇଛି? ଅନୁସନ୍ଧାନକାରୀମାନେ ଏହାକୁ ମଜାରେ ପାତାଳକୁ ବାଟ ବୋଲି କହିଛନ୍ତି। ରାସ୍ତା ଖୋଜୁଥିବା ଏକ୍ସପ୍ଲୋରେସନ ଭେସେଲ ନାଟିଲସ ର ଅନୁସନ୍ଧାନକାରୀଙ୍କ ସହ ଏହା ସହ ଜଡିତ ଏକ ଭିଡିଓ ମଧ୍ୟ ୟୁଟ୍ୟୁବରେ ଶେୟାର କରାଯାଇଛି। ପାପାହାନାମୋକୁକିଆ ସାମୁଦ୍ରିକ ଜାତୀୟ ସ୍ମାରକୀରେ ଲିଲିୟୋକାଲାନି ରିଜ ଉପରେ ଏକ ସର୍ଭେ ସମୟରେ ସେମାନେ ଏହି ରାସ୍ତା ପାଇଥିଲେ। ଏହା ଦୁନିଆର ସବୁଠୁ ବଡ ସାମୁଦ୍ରିକ ସଂରକ୍ଷଣ କ୍ଷେତ୍ର ।

ୟୁଟ୍ୟୁବରେ ଶେୟାର ହୋଇଥିବା ୬ ମିନିଟ୍‌ ୩୨ ସେକେଣ୍ଡ ଏକ ଭିଡିଓରେ ଗବେଷକମାନେ ସମୁଦ୍ର ତଳେ ହଳଦିଆ ରାସ୍ତା ଖୋଜୁଥିବା ଦେଖିବାକୁ ମିଳୁଛି। ଏଥିରେ ରାସ୍ତାର ଇଟା ପରି ଆୟତାକାର ବ୍ଲକଗୁଡିକ ସ୍ଥାପନ କରାଯାଇଛି। ଅନୁସନ୍ଧାନକାରୀମାନେ ଏହାକୁ ମଜାରେ ଆଟଲାଣ୍ଟିସକୁ ଯାଉଥିବା ରାସ୍ତା ବୋଲି କହିଛନ୍ତି।

ପ୍ରକୃତରେ ସଡକ ପରି ଆକୃତି ଏକ ରାସ୍ତା ନୁହେଁ। ଏହା ଏକ ଶୁଖିଲା ହ୍ରଦର ପାଦଦେଶ। ଆଗ୍ନେୟଗିରିର ବିସ୍ଫୋରଣ ପରେ ଏହା ଏକ ଭୌଗୋଳିକ ଗଠନ ହୋଇପାରେ ବୋଲି ଅନୁମାନ କରାଯାଉଛି। ଯାହା ଏକ ଭଙ୍ଗା ରାସ୍ତା ପରି ଦେଖାଯାଉଛି। ତେବେ ଏହି ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

Share