ବଅଁରପାଳ,୨୬।୧୧(ଡି.ଏନ.ଏ.) – ଅନୁଗୋଳ ଦେଇ ଯାଇଥିବା କଟକ-ସମ୍ବଲପୁର ୫୫ନଂ. ଜାତୟ ରାଜପଥର ବହୁ ସ୍ଥାନ ଶୋଚନୀୟ ହୋଇପଡିଛି। ଅନୁଗୋଳ ଠାରୁ ଜୋରଗଡ଼ିଆ ପର୍ଯ୍ୟନ୍ତ ଅନେକ ସ୍ଥାନରେ ବଡ଼ ବଡ଼ ଖାଲଖମା ସୃଷ୍ଟି ହୋଇଛି। ହେଲେ କର୍ତ୍ତୃପକ୍ଷ ମରାମତି କରୁ ନ ଥିବାରୁ ଦୁର୍ଘଟଣା ବୃଦ୍ଧି ପାଉଛି। ଏହା ବିରୋଧରେ ଗୁରୁବାର ବଅଁରପାଳ ବଣିକ ସଂଘ ପକ୍ଷରୁ ଗଡ଼ସନ୍ତ୍ରୀ ଛକଠାରେ ରାସ୍ତାରୋକୋ କରାଯାଇଥିଲା। ସକାଳ ୫ଟା ଠାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସଂଘ କର୍ମକର୍ତ୍ତା ଓ ସଦସ୍ୟମାନେ ରାସ୍ତାରେ ବସିରହିବାରୁ ଗାଡ଼ି ଚଳାଚଳ ବାଧାପ୍ରପ୍ତ ହୋଇଥିଲା। ବଅଁରପାଳ, ନୂଆହତା ଓ ବୁଢ଼ାପଙ୍କ ଆଦି ଆଖପାଖ ଅଞ୍ଚଳର ଲୋକେ ଏଥିରେ ଯୋଗ ଦେଇଥିଲେ। ଘଟଣାସ୍ଥଳରେ ବଅଁରପାଳ ତହସିଲଦାର ଜିତେନ୍ଦ୍ର ସାହୁ ପହଞ୍ଚି ବଣିକ ସଂଘ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବା ପରେ ରାସ୍ତାରୋକୋ ହଟିଥିଲା।