Advertisement

ଆବାସ ନିର୍ମାଣରେ ରାସ୍ତା ବାଧକ

ଦଶମନ୍ତପୁର,୩ା୧୨ (ଅରବିନ୍ଦ ନାୟକ)କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ପିଣ୍ଡାପଦର ପଞ୍ଚାୟତର ଲୋରେଶ ଗ୍ରାମରେ ଏଯାଏ କାହାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆବାସ ଯୋଜନାରେ ଆବାସ ମିଳିନାହିଁ। ଗ୍ରାମରେ ୩୦ ପରିବାର ବସବାସ କରନ୍ତି। ସମସ୍ତେ ଚାଳଛପର ଓ ଭଙ୍ଗାରୁଜା ଗୁହାଳ ସଦୃଶ ଗୃହରେ ବିପଦସଙ୍କୁଳ ଭାବେ ରହୁଛନ୍ତି। ରାସ୍ତା ଅବସ୍ଥା ଯୋଗୁ କେହି ବାହାରକୁ କାମ ପାଇଁ ଯାଉ ନ ଥିବା ବେଳେ ଗ୍ରାମରେ ମଧ୍ୟ ସରକାରଙ୍କ ଯୋଜନା କାର୍ଯ୍ୟକାରିତା ସମ୍ପର୍କରେ ଗ୍ରାମବାସୀ ଜାଣନ୍ତିନାହିଁ। କେତେକେ ଚାଷବାସ କରି ଚଳୁଥିବା ବେଳେ ଅନ୍ୟମାନେ ପୋଡୁଚାଷ କରି ଗୁଜୁରାଣ ମେଣ୍ଟାଉଛନ୍ତି। କେହି ଗୁରୁତର ଅସୁସ୍ଥ ହୋଇ ପଡିଲେ ଗ୍ରାମବାସୀ ଦୋଳା ଏବଂ ଷ୍ଟ୍ରେଚରରେ ବୋହି ତାଙ୍କୁ ଡାକ୍ତରଖାନା ନିଅନ୍ତି। ବ୍ଲକ ପ୍ରଶାସନଠାରୁ ଆରମ୍ଭ କରି ଜିଲା ଓ ରାଜ୍ୟ ପ୍ରଶାସନ ଗ୍ରାମର ଉନ୍ନତି ପ୍ରତି ଗୁରୁତ୍ୱ ଦେଉନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ୨୦୧୯-୨୦ ଆର୍ଥିକ ବର୍ଷରେ ଗ୍ରାମର ୧୩ ପରିବାରଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇଥିଲା। ମାତ୍ର ସେମାନଙ୍କୁ ଆବାସ ମିଳିପାରିନାହିଁ। ମରିଚଗୁଡ଼ା ଗ୍ରାମ ଛକରୁ ୪ କି.ମି. ଦୂର ଲୋରେଶ ଗ୍ରାମ ରାସ୍ତା ମରଣଯନ୍ତା ପାଲଟିଥିବାରୁ ଗ୍ରାମକୁ ଗୃହ ନିର୍ମାଣ ସାମଗ୍ରୀ ଆସିପାରୁନାହିଁ କି ଗ୍ରାମରେ ହିତାଧିକାରୀ ଆବାସ ଗୃହ ନିର୍ମାଣ କରିପାରୁନାହାନ୍ତି। ଫଳରେ ଗ୍ରାମର ଉଦ୍ଧବ କମାର, ଧନୁର୍ଜୟ କମାରଙ୍କ ସମେତ କେତେଜଣ ହିତାଧିକାରୀ ଆବାସ ଯୋଜନାରେ ଗୃହ ନିର୍ମାଣ ନ କରି ସ୍ଥଗିତ ରଖିଛନ୍ତି। ଅନ୍ୟ ୧୦ ଜଣ ହିତାଧକାରୀ ନିଜ ଆବାସକୁ ଅନ୍ୟ ଗ୍ରାମରେ ବିକ୍ରିକରି ଦେଇଥିବା ଜଣାପଡିଛି। ଆମ ଗ୍ରାମକୁ ରାସ୍ତା ଥିଲେ ଆମେ ଆବାସ ଯୋଜନାରେ ମିଳୁଥିବା ଆବାସକୁ ହାତଛଡା ନ କରି ଗ୍ରାମରେ ଗୃହ ନିର୍ମାଣ କରନ୍ତୁ ବୋଲି ଗ୍ରାମର କସାଇ ସାଉଁନ୍ତା, ପୁଲୁ ସାଉଁନ୍ତା, ପାଣ୍ଡୁ ଜାନି, ସେମ କୁଲିସିକା, ଲବି ସାଉଁନ୍ତା, ପେଟା ପାଇକ, ରଘୁ ପାଇକ, ଚନ୍ଦ୍ର ପାଇକ, ସୂର୍ଯ୍ୟମଣି ସାଉଁନ୍ତା, ଲତା ସାଉଁନ୍ତା ପ୍ରମୁଖ ହିତାଧିତ୍କାରୀ ପ୍ରକାଶ କରିଛନ୍ତି। ଆମ ଗ୍ରାମକୁ ରାସ୍ତା ନିର୍ମାଣ ନ ହେଲେ ଆମେ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ କିବୁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଲୋରେଶ ଗ୍ରାମକୁ ରାସ୍ତା ନିର୍ମାଣ କରିବାକୁ ସାଧାରଣରେ ଦାବି ହେଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share