ପାଟଣା,୨୪।୧(ସ୍ବ.ପ୍ର.) କେନ୍ଦୁଝର ଜିଲା ସାହାରପଡା ବ୍ଲକରେ ଧାନ ମଣ୍ଡିରେ ଧାନ ବକ୍ରିକୁ ନେଇ ଅବ୍ୟବସ୍ଥା ଦେଖାଦେଇଛି। ଏହାର ପ୍ରତିବାଦରେ ୬୦ରୁ ଉଦ୍ଧର୍ବ ଚାଷୀ ରବିବାର ପାଟଣା ସାହାରପଡା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥର ଟଭାସରୁଆ ଠାରେ ରାସ୍ତା ଉପରେ ଧାନ ବସ୍ତା ରଖି ଅବରୋଧ କରିଛନ୍ତି।
ଏହି ଶାଖା ଲ୍ୟାମ୍ପସ ଅନ୍ତର୍ଗତ ୧୨ରୁ ଉଦ୍ଧର୍ବ ଗାଁ ବରବେଡା, ତେଣ୍ଡେରା, ନୂଆ ଗାଁ, କୁଣ୍ଡଳା, କପୁଣ୍ଡି, ସରସ୍ବତୀପଡା, ଖଜୁରୀ ଡିହା, ଟଭାସରୁଆ, ବଡ଼ବିଲ ଓ ତିଳ ବେଡା ଆଦିର ଏହି ଚାଷୀ ମାନେ ଟଭାସରୁଆ ଶାଖା ସମବାୟ ସମିତିର ଶନିବାର ବାରି ଥିବାରୁ ମଣ୍ଡିକୁ ଶୁକ୍ରବାର ଠାରୁ ଧାନ ବିକ୍ରି କରିବାକୁ ଆସିଥିଲେ। ଏଠାରେ ୩ ଦିନ ହେବ ଲ୍ୟାମ୍ପ୍ସର କୌଣସି କର୍ମଚାରୀ କିମ୍ବା ଯୋଗାଣ ବିଭାଗର କୌଣସି କର୍ମକର୍ତ୍ତା ଙ୍କ ଦେଖା ପାଇ ନ ଥିଲେ ବୋଲି ଆନ୍ଦୋଳନକାରୀ ଚାଷୀ କହିଛନ୍ତି। ଧାନ କ୍ରୟରେ ଅବ୍ୟବସ୍ଥା ଯୋଗୁ ଶନିବାର ୨୦ରୁ ଉଦ୍ଧର୍ବ ଚାଷୀଙ୍କ ଟୋକନ ଲାପ୍ସ ହୋଇଯାଇଛି। ଖୋଲା ପଡ଼ିଆରେ ଧାନ ରଖି ଶୁକ୍ରବାର ଠାରୁ ଚାଷୀ ରାତ୍ରି ଅନିଦ୍ରା ହୋଇ ଧାନକୁ ଢାଙ୍କି ଜଗି ବସିଛନ୍ତି। ଏଣେ ରବିବାର ଠାରୁ ବର୍ଷା ଆରମ୍ଭହୋଇ ଚାଷୀଙ୍କ ଦୁଃଖ ଆହୁରି ବଢ଼ାଇ ଦେଇଛି। ମଣ୍ଡିକୁ ଆସିଥିବା ଧାନ ବର୍ଷାରେ ଭିଜି ଗଜା ହେବାର ଆଶଙ୍କା ଦେଖା ଦେଇଛି। ବର୍ଷା ଦାଉରୁ ଧାନକୁ ରକ୍ଷା କରିବାକୁ ଚାଷୀ ଧାନ ଗଦା ଉପରେ ପାଲ ଓ ପଲିଥିନ ଟାଣି ସୁରକ୍ଷିତ ରଖିବାକୁ ଉଦ୍ୟମ ଜାରି ରଖିଛନ୍ତି। ଘଟଣା ସ୍ଥଳରେ ପାଟଣା ପୋଲିସ ପକ୍ଷରୁ ସାହାରପଡା ଫାଣ୍ଡି ଅଧିକାରୀ ଶିବ ପ୍ରସାଦ ଆଇଚ, ଏସଆଇ ଶିବଶଙ୍କର ଆଲଦା ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିବା ଫଳରେ ଅପରାହ୍ନରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଛି।