ରାସ୍ତା, ଡ୍ରେନ୍‌ ନିର୍ମାଣ ନ ହେଲେ ଭୋଟ୍‌ ବର୍ଜନ

ଛତ୍ରପୁର,୧୭ା୩(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଛତ୍ରପୁର ଏନ୍‌ଏସି ୫ ନମ୍ବର ଓ୍ବାର୍ଡ ଅଧୀନ ନୂଆଁ ନାଗୁଲୁପେଟା ସାହିରେ ରାସ୍ତା ଓ ଡ୍ରେନ୍‌ ସୁବିଧା ନାହିଁ। ଜିଲାର ସଦରମହକୁମା ଛତ୍ରପୁର ଏନ୍‌ଏସିର ଉକ୍ତ ସାହିରେ ସାଧାରଣ ସୁବିଧାରୁ ସାହି ବାସିନ୍ଦା ବଞ୍ଚିତ ଥିବା ଏମାନେ ଅଭିଯୋଗ କରିଛନ୍ତି। ବାରମ୍ବାର ଏ ସମ୍ପର୍କରେ ଜଣାଇଥିଲେ ମଧ୍ୟ କୌଣସି ସମସ୍ୟା ସମାଧାନ ହୋଇନି। ଫଳରେ ୧୫ ତାରିଖରେ ମା’ ଦକ୍ଷିଣକାଳୀ ମନ୍ଦିର ପରିସରରେ ଉକ୍ତ ସାହି ବାସିନ୍ଦାଙ୍କ ପକ୍ଷରୁ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା। ଏନେଇ ସାହି ବାସନ୍ଦାଙ୍କୁ ନେଇ ଏସମ୍ବନ୍ଧୀୟ ଏକ କମିଟି ଗଠନ ହୋଇଥିଲା । ଗଞ୍ଜାମ ଜିଲାପାଳ ଓ ଏନ୍‌ଏସି ନିର୍ବାହୀ ଅଧିକାରୀଙ୍କୁ ଉକ୍ତ ସାହିରେ ରାସ୍ତା ଓ ଡ୍ରେନ ନିର୍ମାଣ କରିବାକୁ ଅନୁରୋଧ ନେଇ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଯଦି ଏହା ନିର୍ମାଣ କରା ନ ଯିବ ଆଗାମୀ ସାଧାରଣ ନିର୍ବାଚନରେ ସାମୂହିକ ଭୋଟ ବର୍ଜନ କରିବୁ ବୋଲି ସାହି ବାସିନ୍ଦା ଲିଖିତ ଭାବେ ଉକ୍ତ ସ୍ମାରକପତ୍ର ପତ୍ରରେ ଚେତାବନୀ ଦେଇଛନ୍ତି।