ଥାଇ ନ ଥିବା ପରି ରାସ୍ତା, ସମସ୍ୟା ଭୋଗୁଛନ୍ତି ଛାତ୍ରୀଛାତ୍ର

ସୁନାବେଡ଼ା/ସେମିଳିଗୁଡ଼ା, ୧୭ା୯ (କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ) ଭବିଷ୍ୟତର ପ୍ରଶାସନିକ ଅଧିକାରୀ ସୃଷ୍ଟି ଉଦ୍ଦେଶ୍ୟରେ ସେମିଳିଗୁଡ଼ାଠାରେ କିଛିଦିନ ପୂର୍ବରୁ ପ୍ରତିଷ୍ଠା ହୋଇଛି ଶହୀଦ ଲକ୍ଷ୍ମଣ ନାୟକ ପ୍ରତିଯୋଗିତାମୂଳକ ପରୀକ୍ଷା କେନ୍ଦ୍ର। କୋରାପୁଟ ଜିଲାର ଆଦିବାସୀ ଯୁବତୀଯୁବକମାନେ ଏଠାରେ ତାଲିମ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଶାସନିକ ସେବା ପରୀକ୍ଷାରେ ଯେପରି ଅଂଶଗ୍ରହଣ କରି ପ୍ରଶାସନିକ ଅଧିକାରୀ ହୋଇପାରିବେ ତାହା ହେଉଛି ଏହି କେନ୍ଦ୍ରର ଲକ୍ଷ୍ୟ। ମାତ୍ର ବିଡ଼ମ୍ବନାର ବିଷୟ ଯେଉଁ କେନ୍ଦ୍ର ଆଗାମୀ ଦିନରେ ପ୍ରଶାସନିକ ଅଧିକାରୀ ସୃଷ୍ଟି କରିବ ସେ କେନ୍ଦ୍ରକୁ ଯିବା ଆସିବା ପାଇଁ ଭଲ ରାସ୍ତା ନାହିଁ। ପ୍ରଥମ ବ୍ୟାଚ୍‌ ରୂପେ କେନ୍ଦ୍ରରେ ନାମ ଲେଖାଇଥିବା ୮୦ଜଣ ଛାତ୍ରୀଛାତ୍ର କେନ୍ଦ୍ରକୁ ଯିବା ଲାଗି ରାସ୍ତା ସାଜୁଛି ବାଧକ। ବର୍ଷା ଯୋଗୁ ରାସ୍ତାରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି। ଏହାଦ୍ୱାରା ଛାତ୍ରୀଛାତ୍ର ଓ ପାଠ ପଢ଼ାଉଥିବା ଶିକ୍ଷକମାନେ ସମସ୍ୟା ଭୋଗୁଛନ୍ତି। ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ତୁରନ୍ତ ଏହି ପ୍ରଶିକ୍ଷଣ କେନ୍ଦ୍ରକୁ ରାସ୍ତା ନିର୍ମାଣ କରିବାକୁ ଦାବି ହେଉଛି। ଏ ସମ୍ପର୍କରେ ସୁନାବେଡ଼ା ପୌର ଅଧ୍ୟକ୍ଷ ରାଜେନ୍ଦ୍ର ପାତ୍ରଙ୍କୁ ଯୋଗାଯୋଗ କରିବାରୁ ସେ ଫୋନ ଉଠାଇ ନ ଥିଲେ। ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ନାରାୟଣ ନାୟକଙ୍କୁ ପଚାରିବାରୁ ସେହି ରାସ୍ତା ଅବସ୍ଥା ପ୍ରତି ଅବଗତ ଅଛନ୍ତି। ନୂତନ ରାସ୍ତା ନିର୍ମାଣ ନିମନ୍ତେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ଅଳ୍ପଦିନ ମଧ୍ୟରେ ରାସ୍ତା ନିର୍ମାଣ କରାଯିବ ବୋଲି ନାୟକ କହିଥିଲେ।

Share