ସୁନାବେଡ଼ା/ସେମିଳିଗୁଡ଼ା, ୧୯।୫ (ସ୍ବ.ପ୍ର.): ସରକାରୀ ଅର୍ଥରେ ବେସରକାରୀ ରାସ୍ତା ସୁନାବେଡ଼ା ପୌର ପରିଷଦ ଅଞ୍ଚଳରେ ନିର୍ମାଣ ହୋଇଥିବା ଏବେ ନଜରକୁ ଆସିଛି। ୨୬ ନଂ. ଜାତୀୟ ରାଜପଥ ପାଶର୍ବରେ ପୌର ପରିଷଦର ମଲ୍ଟି ଫଙ୍କସନ ହଲ୍ ରହିଛି। ଏହା ନିକଟରେ ମା’ ଧାନରାଗିଣୀ ମନ୍ଦିର ଏବଂ ପାହାଡ଼କୁ ଯିବାକୁ ରାସ୍ତା ରହିଛି। ଏଠାରୁ କିଛି ଦୂର ଯିବା ପରେ ସେହି ରାସ୍ତାଠାରୁ ପ୍ରାୟ ୨ଶହରୁ ଅଢ଼େଇ ଶହ ମିଟର ରାସ୍ତା ଏକ ଘରୋଇ ଶିକ୍ଷା ଅନୁଷ୍ଠାନର ପଛପଟ ବାଉଣ୍ଡରି ୱାଲ୍କୁ ରାସ୍ତା ନିର୍ମାଣ କରାଯାଇଛି। ଏହା ସାଧାରଣ ଲୋକଙ୍କ କୌଣସି କାମରେ ଆସିିବ ନାହିଁ। ଲାଗିଥିବା ସୂଚନା ଫଳକ ଅନୁସାରେ ୧୦ ଲକ୍ଷ ଟଙ୍କା ବ୍ୟୟରେ ୨୮ା୯ା୨୦୨୧ରେ କାମ ଆରମ୍ଭ ହୋଇ ୨୫ା୧୨ା୨୦୨୧ରେ ସରିଛି। ମାତ୍ର ଫଳକରେ ନିୟମ ଅନୁଯାୟୀ ଠିକା ସଂସ୍ଥାର ନାମ ଓ ୱାର୍ଡ ନଂ. ଲେଖାଯାଇନାହିଁ। ଧାନରାଗିଣୀ ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତା ଖରାପ ହୋଇଯାଇଥିବା ବେଳେ ତାହାକୁ ପୌର ପରିଷଦ ନିର୍ମାଣ ନ କରି ଘରୋଇ ଶିକ୍ଷାନୁଷ୍ଠାନର ପଛପଟ ବାଉଣ୍ଡରି ୱାଲ୍କୁ ସଂଯୋଗ ନେଇ ରାସ୍ତା ନିର୍ମାଣ କରିବା କାହା ସ୍ବାର୍ଥରେ କରାଯାଇଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ପୌରାଧ୍ୟକ୍ଷ ଡ. ରାଜେନ୍ଦ୍ର କୁମାର ପାତ୍ରଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ, ଏହା ତାଙ୍କ ସମୟରେ ହୋଇନାହିଁ। ଯଦି ଏପରି କିଛି ହୋଇଛି ତେବେ ଏହାର ତଦନ୍ତକରି ପଦକ୍ଷେପ ନେବେ ବୋଲି କହିଥିଲେ। କାର୍ଯ୍ୟନିର୍ବାହୀ ଅଧିକାରୀ ଗୋବିନ୍ଦ ଦନସେନାଙ୍କୁ ପଚାରିବାରୁ କହିଲେ, ସେ ନିକଟରେ ସୁନାବେଡ଼ା ପୌର ପରିଷଦକୁ ଆସିଛନ୍ତି। ଏ ବିଷୟରେ କିଛି ଜାଣିନାହାନ୍ତି। ତଥାପି ଏ ସମ୍ପର୍କରେ କ’ଣ ପଦକ୍ଷେପ ନିଆଯାଇପାରିବ ସେ ଦେଖୁଛନ୍ତି ବୋଲି କହିଥିଲେ ।