କୋଟଗଡ଼,୮୧୧(ଡି.ଏନ୍.ଏ.): କନ୍ଧମାଳ ଜିଲା ତୁମୁଡିବନ୍ଧରେ ଦିନ ଦ୍ବିପହରରେ ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ ଅଭିଯୋଗ ହୋଇଛି। ଏନେଇ ପେଟ୍ରୋଲ ପମ୍ପ ମାଲିକ ତୁମୁଡ଼ିବନ୍ଧ ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗ ଭିତ୍ତିକରି ପୋଲିସ ତଦନ୍ତ ଆରମ୍ଭ କରିଛି।
ସୂଚନାଯୋଗ୍ୟ, ସୋମବାର ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ଜଲେଶପଟ୍ଟା ମା’ ବରାଳ ଦେବୀ ଇଣ୍ଡିଆନ ପେଟ୍ରୋଲ ପମ୍ପର ମ୍ୟାନେଜର ଦେବାଶିଷ ନନ୍ଦ ଏକ ମୋଟରସାଇକେଲରେ ୫ ଲକ୍ଷ ଟଙ୍କା ନେଇ ତୁମୁଡ଼ିବନ୍ଧ ଷ୍ଟେଟ ବ୍ୟାଙ୍କରେ ଜମା କରିବାକୁ ଯାଉଥିଲେ। ତୁମୁଡ଼ିବନ୍ଧ ନେତାଜୀ ସୁବାଷ ଚନ୍ଦ୍ର ବୋଷ କଲେଜ ନିକଟରେ ୩ ଜଣ ଦୁର୍ବୃତ୍ତ ଏକ ପଲସର ବାଇକ୍ରେ ଆସି ଦେବାଶିଷଙ୍କ ବାଇକ୍ ପଛପଟୁ ଧକ୍କା ଦେଇଥିଲେ। ଦେବାଶିଷ ତଳେ ପଡ଼ିଯିବା ପରେ ଦୁର୍ବୃତ୍ତମାନେ ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପି ନେଇଯାଇଥିଲେ ବୋଲି ଦେବାଶିଷ କହିଛନ୍ତି। ଘଟଣା ବିଷୟରେ ଖବରପାଇ ପେଟ୍ରୋଲ ପମ୍ପ ମାଲିକ ପ୍ରଶାନ୍ତ କୁମାର ସ୍ବାଇଁ ଥାନାରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟପଟେ ସମ୍ପୃକ୍ତ ମ୍ୟାନେଜର ମାଲିକଙ୍କୁ ନ ଜଣାଇ ୩ ଲକ୍ଷରୁ ଊଦ୍ଧର୍ବ ଟଙ୍କା ହଡ଼ପ କରିଥିବା ମାଲିକ ପ୍ରଶାନ୍ତ କହିଛନ୍ତି। କେସ ନଂ ୯୦/୨୦୨୨ରେ ମାମଲା ରୁଜୁ କରି ମ୍ୟାନେଜର ଦେବାଶିଷଙ୍କୁ ଥାନାରେ ଅଟକ ରଖାଯାଇଛି । ଅଧିକ ପଚରାଉଚରା କରିବା ସହ ପୋଲିସ ତଦନ୍ତ ଆରମ୍ଭ କରିଥିବା ନେଇ ଥାନା ଅଧିକାରୀ ଜୟନ୍ତ ସେଠୀ ସୂଚନା ଦେଇଛନ୍ତି।