ଘରେ ପଶି ସୁନାଗହଣା ଲୁଟି ନେଇଥିଲେ ୩ ନାବାଳକ, ଚୋରିର ଏମିତି ପର୍ଦ୍ଦାଫାଶ କଲା ପୋଲିସ

ଦିଗପହଣ୍ଡି/ପାଟପୁର,୨୩ା୧୦(ଅଶେଷ ନାଥ ମିଶ୍ର/ସୀମାଞ୍ଚଳ ସାହୁ): ଗଞ୍ଜାମ ଜିଲା ପାଟପୁର ଥାନା ନୂଆଗଡ଼ ଗ୍ରାମରେ ଗତ ୯ ତାରିଖ ସାରେ ଘରେ ପଶି ସୁନାଗହଣା ଲୁଟ୍‌ ଘଟଣାର ପୋଲିସ ବୁଧବାର ପର୍ଦ୍ଦାଫାଶ କରିଛି। ଏହି ମାମଲାରେ ସମ୍ପୃକ୍ତ ୩ ଜଣ ନାବାଳକଙ୍କୁ ପୋଲିସ ଛତ୍ରପୁର ଜୁଭେନାଇଲ ଜଷ୍ଟିସ୍‌ ବୋର୍ଡରେ ହାଜର କରିବା ପରେ କୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ସେମାନଙ୍କୁ ବ୍ରହ୍ମପୁରସ୍ଥିତ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି। ନୂଆଗଡ଼ ଗ୍ରାମ ମୁଖ୍ୟରାସ୍ତାରେ ରହୁଥିବା ବ୍ରହ୍ମା କୁମାର ପଣ୍ଡା ସପରିବାର ସହ ଘରେ ତାଲା ପକାଇ ମା ’ ଗ୍ରାମଦେବତୀ ମନ୍ଦିରକୁ ନବରାତ୍ର ପୂଜା ପାଇଁ ଯାଇଥିଲେ। ବିଳମ୍ବିତ ସନ୍ଧ୍ୟାରେ ସେମାନେ ଘରକୁ ଫେରି ଦେଖିବା ବେଳେ ଘର ତାଲା ଭାଙ୍ଗି ତଳେ ପଡ଼ିଥିଲା। ଘରର ଆସବାବପତ୍ର ସଠିକ ଜାଗାରେ ରହିଥିଲା। କିନ୍ତୁ ଆଲମାରି ତାଲା ଖୋଲି ଦୁର୍ବୃତ୍ତମାନେ ସେଥିରେ ଥିବା ରାଣୀ ହାର, ଆଉ ଏକ ହାର ଏବଂ ମୁଦି ଚୋରି କରି ନେଇଥିଲେ। ପରିବାର ଲୋକେ ଆଲମାରିରେ ସୁନା ଗହଣା ନ ଥିବା ଜାଣି ଖୋଜାଖୋଜି କରିଥିଲେ ମଧ୍ୟ ସନ୍ଧାନ ପାଇ ନ ଥିଲେ। ଗତ ୧୫ ତାରିଖରେ ଜଣେ ନାବାଳକ ଚୋରି ଯାଇଥିବା ସୁନା ମୁଦି ଆଣି ବ୍ରହ୍ମାନନ୍ଦଙ୍କୁ ଦେଇଥିଲେ। ଏଥିରେ ସେ ଅନ୍ୟ ସୁନା ଗହଣା କାହିଁ ବୋଲି ତାଙ୍କୁ ପଚାରିବାରୁ ସେ ସମସ୍ତ ସୁନାଗହଣା ଫେରାଇବାକୁ କହି ଆଉ ଫେରାଇ ନ ଥିଲେ। ଏନେଇ ବ୍ରହ୍ମାନନ୍ଦ ପାଟପୁର ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି କେସ୍‌ ନଂ. ୪୬୭/୨୪ ଅନୁଯାୟୀ ପୋଲିସ ମୋକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲା। ସମ୍ପୃକ୍ତ ନାବାଳକଙ୍କୁ ପୋଲିସ ଥାନାକୁ ଆଣି ପଚରାଉଚରା କରିବା ପରେ ସେ ଏଥିରେ ସମ୍ପୃକ୍ତ ଅନ୍ୟ ୨ ଜଣ ନାବାଳକଙ୍କ ନାଁ କହିଥିଲେ। ପୋଲିସ ଅନ୍ୟ ୨ ନାବାଳକଙ୍କୁ ଥାନାକୁ ଉଠାଇ ଆଣି ଜେରା କରିବା ପରେ ସେମାନେ ଚୋରି କରିଥିବା ସ୍ବୀକାର କରିବା ସହ ରାଣୀହାର ଏବଂ ସୁନା ହାର ପୋଲିସକୁ ଦେଇଥିଲେ। ପ୍ରାୟ ୨ ଲକ୍ଷ ୫୦ ହଜାର ଟଙ୍କା ମୂଲ୍ୟର ୪ ଭରି ଓଜନରୁ ଊର୍ଦ୍ଧ୍ୱ ସୁନା ଗହଣାକୁ ପୋଲିସ ଅଭିଯୁକ୍ତମାନଙ୍କ ନିକଟରୁ ଜବତ କରିଥିଲା।

Share