ଗାଡ଼ି, ଟଙ୍କା ଛାଡ଼ି ପଳାଇଲେ ଲୁଟେରା

ଉଦଳା,୨୦ା୧୦(ଡି.ଏନ.ଏ.): ଜଣେ ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଝାମ୍ପି ନେଇ ପଳାଉଥିବା ବେଳେ ଲୋକେ ପିଛା କରିବାରୁ ୨ ଦୁର୍ବୃତ୍ତ ଲୁଟ ଟଙ୍କା ଓ ଏକ ପଲସର ବାଇକ୍‌ ଛାଡ଼ି ଫେରାର ହୋଇଯିବା ଚର୍ଚ୍ଚାର ବିଷୟ ହୋଇଛି। ମୟୂରଭଞ୍ଜ ଜିଲା ଉଦଳା ଥାନା ଅଧୀନ ଧାନଘେରା ରାସ୍ତାର କ୍ରସର ଛକ ନିକଟରେ ବୁଧବାର ଏହି ଘଟଣା ଘଟିଛି।
ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲାର ଫଳ ବ୍ୟବସାୟୀ ଲଳିତ କୁମାର ଦାସ ଖୁଣ୍ଟା ଅଞ୍ଚଳରୁ ୧ ଲକ୍ଷ ୫୭ ହଜାର ୬ଶହ ଟଙ୍କା ସଂଗ୍ରହ କରି ଆସୁଥିଲେ। ଏହି ସମୟରେ ପଲସର ବାଇକ୍‌ରେ ୨ ଦୁର୍ବୃତ୍ତ ଆସି ତାଙ୍କଠାରୁ ଟଙ୍କା ବ୍ୟାଗ୍‌ ଛଡ଼ାଇ ନେଇଥିଲେ। ଲୁଟେରା ଦ୍ୱୟ ଉଦଳା ଅଭିମୁଖେ ଆସି ବିସିପୁର ଛକଠାରୁ ଧାନଘେରା ଆଡ଼କୁ ଯାଉଥିଲେ। ହେଲେ ଟଙ୍କା ଲୁଟ୍‌ ଖବର ପ୍ରଚାରିତ ହୋଇଯାଇଥିବାରୁ ସ୍ଥାନୀୟ କିଛି ଯୁବକ ଲୁଟେରାଙ୍କ ପିଛା କରିଥିଲେ। ଧରାପଡ଼ିଯିବା ଭୟରେ ଲୁଟେରା ଦ୍ୱୟ ଧାନଘେରା କ୍ରସର ଛକ ନିକଟରେ ପଲସର ବାଇକ୍‌ ଏବଂ ଟଙ୍କା ବ୍ୟାଗ୍‌ ଛାଡ଼ି ଜଙ୍ଗଲ ଭିତର ଦେଇ ଖସି ପଳାଇଥିଲେ। ପିଛା କରୁଥିବା ଯୁବକମାନେ ବାଇକ୍‌ ଏବଂ ଟଙ୍କା ଭର୍ତ୍ତି ବ୍ୟାଗକୁ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ। ଖୁଣ୍ଟା ଥାନା ପୋଲିସ୍‌ ପହଞ୍ଚିି ବାଇକ୍‌ ଓ ଟଙ୍କା ଜବତ କରିବା ସହ ତଦନ୍ତ ଜାରି ରଖିଛି।

Share