ପୁଣି ରାଜଧାନୀରେ ଆପାର୍ଟମେଣ୍ଟରୁ ଲୁଟ୍, ୬ଟି ଫ୍ଲାଟରୁ ତାଲା କାଟି କଳାକନା ବୁଲାଇଲେ ଲୁଟେରା

ଭୁବନେଶ୍ୱର,୧୯।୨: (ମନୋଜ ମଣ୍ଡଳ): ବାଲିଅନ୍ତା ଥାନା ଅନ୍ତର୍ଗତ ଗଡ଼ଶ୍ରୀରାମପୁରସ୍ଥିତ ‘ବର୍ଷା ରିଭେରା’ ଆପାର୍ଟମେଣ୍ଟର ପାଞ୍ଚଟି ଫ୍ଲାଟରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ଶନିବାର ରାତିରେ ଫ୍ଲାଟ୍‌ଗୁଡିକର ତାଲା ଭାଙ୍ଗି ପ୍ରାୟ ୬୦ ହଜାର ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଚୋରି କରିଛନ୍ତି। ଏନେଇ ମାଲିକମାନେ ଥାନାରେ ଏତଲା ଦେବା ପରେ ପୋଲିସ ପୃଥକ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଆଲ୍‌ଫା ବ୍ଲକର ଫ୍ଲାଟ୍‌ ନଂ.୨୦୩ ସମେତ ୫ଟି ଫ୍ଲାଟ୍‌ରୁ ଚୋରି ହୋଇଛି। ଫ୍ଲାଟ୍‌ ନଂ.୨୦୩ରେ ରହୁଥିବା ଅଜିତ କୁମାର ପଲେଇ ଗତ ଗୁରୁବାର ପରିବାର ସହ ନିଜ ପୈତୃକ ଗ୍ରାମ କେନ୍ଦ୍ରାପଡ଼ା ଜିଲା ରାଜକନିକାକୁ ଯାଇଥିଲେ। ତାଙ୍କ ଆଲମାରିରୁ ଏକ ରାଣୀ ହାର, ସୁନା ଚେନ, ବ୍ରେସ୍‌ଲେଟ, ସୁନା ମୁଦି, ରୁପା ପାଉଁଜି ଓ ନଗଦ କୋଡିଏ ହଜାର ଟଙ୍କା ଚୋରି ହୋଇଥିବା ନେଇ ସେ ଥାନାରେ ଏତଲା ଦେଇଛନ୍ତି।

ସେହିପରି ଆଲ୍‌ଫା ବ୍ଲକ୍‌, ଏ ବ୍ଲକ ଓ ଗାମା ବ୍ଲକ ଆଦିର ଫ୍ଲାଟ୍‌ରୁ ଅନୁରୂପ ଭାବେ ଚୋରି ହୋଇଛି। ରବିବାର ସକାଳେ ବାଲିଅନ୍ତା ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚତ୍ ତନାଘନା ଆରମ୍ଭ କରିଥିଲା। ସ୍ଥାନୀୟ ଅଞ୍ଚଳରେ ପଚରାଉଚରା ସହ ସିସିଟିଭି ଫୁଟେଜ୍‌ ଯାଞ୍ଚ କରି ପୋଲିସ ଚୋରଙ୍କୁ ଧରିବାକୁ ପ୍ରୟାସ କରୁଛି।

ସେହିଭଳି ଶନିବାର ବିଳମ୍ବିତ ରାତିରେ କପିଳପ୍ରସାଦ କେଳୁଚରଣ ଲେନ୍ ୫ ଅଞ୍ଚଳରେ ତାଲା ପଡ଼ିଥିବା ଘରେ ପଶି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଥିଲା। ଲେନ୍ ୫ରେ ଥିବା ଏକ ଘର ଝରକା ତାଡ଼ି ଦୁର୍ବୃତ୍ତମାନେ ସୁନାଗହଣା ଏବଂ ଟଙ୍କା ଲୁଟି ନେଇଥିଲେ। ଗଲା କିଛି ଦିନ ଧରି ସହରର ବିଭିନ୍ନ ସ୍ଥାନରୁ ଦିନ ଦ୍ୱିପ୍ରହରାରେ ଚୋରି ଡକାୟତି ହେଉଛି।

Share