ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷଙ୍କ ଘରେ ସଶସ୍ତ୍ର ଡକାୟତି, ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା

ହେମଗିରି,୪ା୮(ଚୈତନ୍ୟ ପଟେଲ): ସୁନ୍ଦରଗଡ଼ ଜିଲା ହେମଗିରି ବ୍ଲକସ୍ଥିତ ବିଲେଇମୁଣ୍ଡାର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଏବଂ ବର୍ତ୍ତମାନର ବିଜେଡି ଜିଲା କୃଷକ ମୋର୍ଚ୍ଚା ସଭାପତି ଗୋପାଳ ପ୍ରଧାନଙ୍କ ଘରୁ ଡକାୟତି ହୋଇଛି। ଗୁରୁବାର ରାତିରେ ୫ ଜଣ ଡକାୟତ ଘର ପଛପଟ ଦେଇ ପଶିବା ସହ ଘରେ ଥିବା ସମସ୍ତ ସଦସ୍ୟଙ୍କୁ ବାନ୍ଧି ଦେଇ ବନ୍ଧୁକ ଦେଖାଇ ସମସ୍ତ ସୁନା, ରୁପା, ଟଙ୍କା ଲୁଟ୍‌ କରି ନେଇଛନ୍ତି। ଏପରିକି ତାଙ୍କର ଲାଇସେନ୍ସପ୍ରାପ୍ତ ବନ୍ଧୁକ ଓ ଜାଇଲୋ ଗାଡ଼ିକୁ ଲୁଟ୍‌ କରି ଫେରାର ହୋଇଯାଇଛନ୍ତି। ଏ ନେଇ ହେମଗିରି ଥାନାରେ ଅଭିଯୋଗ ହୋଇଛି।

ସୂଚନା ମୁତାବକ, ୫ ଜଣ ଡକାୟତ ଘର ପଛପଟ ଦେଇ କବାଟ ଭାଙ୍ଗି ପ୍ରଥମେ ଗୋପାଳ ପ୍ରଧାନଙ୍କ ପୁଅ ଆଶିଷଙ୍କ ମୁଣ୍ଡରେ ବନ୍ଧୁକ ଲଗାଇବା ସହ ଆଶିଷ ଓ ସ୍ତ୍ରୀଙ୍କୁ ମଧ୍ୟ ବାନ୍ଧି ଦେଇଥିଲେ। ଏହା ପରେ ଘରର ଅନ୍ୟ ସଦସ୍ୟମାନଙ୍କୁ ବାନ୍ଧି ଦେଇଥିଲେ। ଦୀର୍ଘ ଦେଢ଼ ଘଣ୍ଟା ଲୁଟ୍‌ପାଟ୍‌ କରିବା ପରେ ଫେରାର ହୋଇଯାଇଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Share