ଆନ୍ଧ୍ର ସିଆର୍‌ପିଏଫ୍‌ ଯବାନଙ୍କ ଓଡ଼ିଶାରେ ଡକାୟତି

ନନ୍ଦପୁର, ୪ା୭ (ଶଙ୍କର ପୂଜାରୀ): ନନ୍ଦପୁର ଅଞ୍ଚଳକୁ ବୁଲି ଆସିଥିବା ପର୍ଯ୍ୟଟକଙ୍କୁ ଲୁଟ୍‌ କରି ଖସି ପଳାଉଥିବା ୨ ଜଣିଆ ଡକାୟତି ଗ୍ୟାଙ୍ଗକୁ ଧରିବାରେ କୋରାପୁଟ ଜିଲା ପାଡୁଆ ପୋଲିସ ସଫଳ ହୋଇଛି। ଧରାପଡି ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ରାଜକୁମାର ଜୈନି ଓ ସାଜିଦ ୱାଜିଦ ନୁରଉଦ୍ଦିନ। ରାଜକୁମାର ସିଆରପିଏଫ୍‌ରେ ଚାକିରି କରୁଥିବା ଜଣେ ଯବାନ ବୋଲି ଜଣାପଡିଛି। ସେମାନଙ୍କଠାରୁ ମୋଟ ୯ଟି ମୋବାଇଲ ସମେତ ୪୫୦୦ ଟଙ୍କା, ଗୋଟିଏ ସ୍କୁଟି, ସିଆରପିଏଫ ଯବାନ ବ୍ୟବହାର କରୁଥିବା ଗୋଟିଏ ଟୋପି, ଗୋଟିଏ ମାସ୍କ, ୨ଟି ଖେଳନା ୱାକିଟକି ଜବତ କରାଯାଇଛି। କେସ୍‌ ନଂ. ୯୧/୨୩ରେ ଏକ ମାମଲା ରୁଜୁ କରାଯାଇ ଉଭୟଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଥିବା ଏକ ଖବରଦାତା ସମ୍ମିଳନୀରେ ନନ୍ଦପୁର ଏସଡିପିଓ ସଞ୍ଜୟ ମହାପାତ୍ର କହିଛନ୍ତି।
ଖବରରୁ ଜଣାପଡିଛି, ନନ୍ଦପୁରର ପର୍ଯ୍ୟଟନସ୍ଥଳୀ ବୁଲିବାକୁ ବ୍ଲକ ଅଞ୍ଚଳକୁ ବିଶାଖାପାଟଣା ଅଞ୍ଚଳର ୫ଜଣ କଲେଜ ଛାତ୍ର ଏକ କାର ଯୋଗେ ଆନ୍ଧ୍ର ପ୍ରଦେଶର ଆର୍କୁ ଦେଇ ଆସୁଥିଲେ। ଆର୍କୁରେ କିଛି ସମୟ ଅଟକି ସେମାନେ ରୋଷେଇ ସାମଗ୍ରୀ କିଣାକିଣି କରି ପ୍ରଥମେ ବାଲଡା ନାଗେଶ୍ୱରୀ ଗୁମ୍ଫା ଓ ପାହାଡ ବୁଲିବାକୁ ଯୋଜନା କରି ସେଠାରୁ ବାହାରିଥିଲେ। ଏହି ସମୟରେ ଆର୍କୁ ଅଞ୍ଚଳର ଦୁଇଜଣ ବ୍ୟକ୍ତି ଏକ ସ୍କୁଟି (ଏପି୩୯ ଓଏନ ୨୧୩୬)ରେ ସେମାନଙ୍କୁ ପିଛା କରିଥିଲେ। ପାଡୁଆ ଥାନା ପାର ହେବା ପରେ ବାଲଡା ନାଗେଶ୍ୱରୀ ପାହାଡ ପୂର୍ବରୁ ଏକ ନିଛାଟିଆ ଜାଗାରେ କାର ଆଗକୁ ସ୍କୁଟି ଆଣି ସେମାନଙ୍କୁ ଅଟକିବାକୁ ନିର୍ଦ୍ଦେଶ ଦେଇଥିଲେ। ପର୍ଯ୍ୟଟକ ଯୁବକମାନେ ସିଆରପିଏଫ୍‌ ଟୋପି ଓ ହାତରେ ୱାକିଟକି ଧରିଥିବା ଦେଖି ପୋଲିସ ଭାବି କାର ଅଟକାଇ ଥିଲେ। ସ୍କୁଟିରେ ଥିବା ଦୁଇଜଣ ନିଜକୁ ପୋଲିସ ପରିଚୟ ଦେଇ କାର ଯାଞ୍ଚ କରିବା ସହ ୫ ଯୁବକଙ୍କ ମୋବାଇଲ ଓ ପାଖରେ ଥିବା ୪୫୦୦ ଟଙ୍କା ନେଇଯାଇଥିଲେ। ତେବେ କାର ଯାଞ୍ଚ ସମୟରେ ଜଣେ ଯୁବକ ଏମାନଙ୍କୁ ସନ୍ଦେହ କରି ୧୧୨କୁ କଲ କରି ଘଟଣା ସମ୍ପର୍କରେ ଅବଗତ କରି ଦେଇଥିଲେ।
ଅନ୍ୟପକ୍ଷରେ ୧୧୨ରୁ ସୂଚନା ପାଇ ଜିଲା ଆରକ୍ଷୀ ଅଧୀକ୍ଷକ ଓ ନନ୍ଦପୁର ଏସଡିପିଓ ମହାପାତ୍ର ଏନେଇ ପାଡୁଆ ଥାନାକୁ ସୂଚନା ଦେଇଥିଲେ। ପାଡୁଆ ଥାନାଧିକାରୀ ସବ୍ୟସାଚୀ ଶତପଥୀ, ଏସଆଇ ଦୀପକ ବାରିକ ଟିମ୍‌ ସହ ତ୍ୱରିତ ଘଟଣା ସ୍ଥଳରେ ପହଞ୍ଚତ୍ ସ୍କୁଟିରେ ଖସିଯିବାକୁ ଉଦ୍ୟମ କରୁଥିବା ଦୁଇ ଯୁବକଙ୍କୁ ଅଟକାଇଥିଲେ। ସେହି ସମୟରେ ସମ୍ପୃକ୍ତ ୨ ଯୁବକ ରାଜକୁମାର ଓ ସାଜିଦୱାଜିଦ ନିଜକୁ ଆର୍କୁୁ ପୋଲିସ କର୍ମଚାରୀ ବୋଲି ପରିଚୟ ଦେଇଥିଲେ। ସେଠାରୁ ପୋଲିସ ସମସ୍ତଙ୍କୁ ଥାନାକୁ ଆଣିଥିଲା। ଲୁଟ୍‌ର ଶିକାର ହୋଇଥିବା ପର୍ଯ୍ୟଟକ ଛାତ୍ର ନାରାୟଣ ରାଓଙ୍କ ଏତଲାକ୍ରମେ ପୋଲିସ ଏକ ମାମଲା ରୁଜୁ କରିଥିଲା। ସେମାନଙ୍କୁ ଜେରା ସମୟରେ ସେମାନଙ୍କ ପରିଚୟ ଜାଣି ପାଡୁଆ ପୋଲିସ ଚକିତ ହୋଇଯାଇଥିଲା। ରାଜକୁମାରଙ୍କ ପରିଚୟପତ୍ରରୁ ସେ ଜଣେ ସିଆର୍‌ପିଏଫ ଯବାନ ବୋଲି ଜଣାପଡିଥିଲା। ସେ ଆନ୍ଧ୍ରର ରାଜମହେନ୍ଦ୍ରି ସିଆରପିଏଫ କ୍ୟାମ୍ପରେ କାର୍ଯ୍ୟ କରନ୍ତି। ଛୁଟିରେ ନିଜ ଘର ଆର୍କୁକୁ ଆସିଥିଲେ। ଏହାର ତଦନ୍ତ ଦାୟିତ୍ୱ ଏସଆଇ ଦୀପକ ବାରିକଙ୍କୁ ପ୍ରଦାନ କରାଯାଇଛି। ଉଭୟଙ୍କ ଅନ୍ୟ କିଛି ଆପରାଧିକ କାର୍ଯ୍ୟକଳାପ ରହିଛି କି ନାହିଁ ସେ ସମ୍ପର୍କରେ ତଦନ୍ତ କରାଯାଉଥିବା ଏସ୍‌ଡିପିଓ ମହାପାତ୍ର କହିଛନ୍ତି। ଖବରଦାତା ସମ୍ମିଳନୀରେ ମହାପାତ୍ରଙ୍କ ସମେତ ପାଡୁଆ ଥାନାଧିକାରୀ ସବ୍ୟସାଚୀ ଶତପଥୀ, ନନ୍ଦପୁର ଥାନାଧିକାରୀ ପ୍ରଫୁଲ୍ଲ ଲାକ୍ରା ଓ ଏସଆଇ ଦୀପକ ବାରିକ ଉପସ୍ଥିତ ଥିଲେ।