ବନ୍ଧୁକ ଫୁଟାଇ ଗହଣା ବ୍ୟବସାୟୀଙ୍କଠାରୁ ଲୁଟ୍‌

ବସ୍ତା,୯।୭(ଡି.ଏନ.ଏ): ବସ୍ତା ଷ୍ଟେସନ ନିକଟରେ ବନ୍ଧୁକରେ ଗୁଳି ଫୁଟାଇ ସ୍ଥାନୀୟ ଗହଣା ବ୍ୟବସାୟୀଙ୍କଠାରୁ ଦୁଇ ଦୁବୃତ୍ତର୍ର୍ ୫୦ ହଜାର ଟଙ୍କା ଓ ଦୁଇଟି ମୋବାଇଲ ଲୁଟି ନେଇ ଚମ୍ପଟ ମାରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ବସ୍ତା ବଜାରରେ ଗହଣା ଦୋକାନ କରିଥିବା ସ୍ଥାନୀୟ ମୟୁରଭଞ୍ଜସ୍ଥିତ ଖୁଣ୍ଟା ନିବାସୀ କାଞ୍ଚନ ମଣି ରଣା ଓ ଦିଅର ଅଭୟ କୁମାର ରଣା ଦୋକାନ ବନ୍ଦ କରି ବାଇକରେ ଘରକୁ ଯାଉଥିବା ବେଳେ ବସ୍ତା ଷ୍ଟେଶନ ନିକଟ ରାସ୍ତାରେ ସେମାନଙ୍କ ଗୋଡ଼କୁ ଲକ୍ଷ୍ୟ କରି ଦୁଇ ଜଣ ଦୁବୃର୍ତ୍ତ ଗୁଳିି ଫୁଟାଇ ଥିଲେ। ଏହା ଫଳରେ ଘଟଣାସ୍ଥଳଟି ଧୂଳିରେ ପରିପୂର୍ଣ୍ଣ ହୋଇଯାଇଥିଲା। ଏହି ସମୟରେ ଦୁବୃର୍ତ୍ତମାନେ ସେମାନଙ୍କଠାରୁ ବ୍ୟାଗ ଓ ୨ଟି ମୋବାଇଲ ଝାମ୍ପି ନେଇଥିଲେ। ଦୁବୃର୍ତ୍ତ ଦ୍ବୟ ଏକ ପଲସର ବାଇକ ଯୋଗେ ସଙ୍ଗେ ସଙ୍ଗେ ଦ୍ରୁତ ଗତିରେ କୁଣ୍ଡପୁର ରାସ୍ତାରେ ଜାତୀୟ ରାଜପଥ ଅଭିମୁଖେ ପଳାଇଥିଲେ। ବ୍ୟାଗରେ ୫୦ ହଜାର ଟଙ୍କା ଥିଲା। ପୂର୍ବରୁ ମଧ୍ୟ ବସ୍ତା ବଜାରରେ ଆଉ ଏକ ଗହଣା ଦୋକାନରୁ ଲୁଟ ହୋଇଥିବାବେଳେ ଅଦ୍ୟାବଧି ଦୁବୃର୍ତ୍ତଙ୍କ ଟେର ମିଳି ନାହିଁ। ଏହାଛଡା ବ୍ୟାଙ୍କରୁ ଟଙ୍କା ଉଠାଇ ରାସ୍ତାରେ ଯାଉଥିବା ବାଇକରେ ଆସି ଦୁବୃର୍ତ୍ତମାନେ ଟଙ୍କା ଛଡାଇ ନେଉଥିବା ଘଟଣା ବାରମ୍ବାର ଘଟୁଥିବା ବେଳେ ଏହିଭଳି ଘଟଣା ଗୁଡିକରେ କାହାରିକୁ ଧରିବା ପାଇଁ ପୋଲିସ ସମର୍ଥ ହୋଇନାହିଁ। ପୋଲିସ ପାଟ୍ରୋଲିଂ ପାଇଁ ଦାବି ହେଉଛି।

Share