ବ୍ରହ୍ମପୁର ଅଫିସ,୮ା୯: ବ୍ରହ୍ମପୁରରେ କିଛିଦିନ ହେଲା ଲୁଟେରା ସକ୍ରିୟ ହୋଇଛନ୍ତି। ବିଶେଷ କରି ଟାଉନ ଥାନା ଅଞ୍ଚଳରେ ଗୋଟିଏ ପରେ ଗୋଟିଏ ଚୋରି ଘଟଣା ଘଟୁଛି। ଗୁରୁବାର ମଧ୍ୟାହ୍ନରେ ୨ ମୁଖାଧାରୀ ଦୁର୍ବୃତ୍ତ ବ୍ରହ୍ମପୁର ଏସଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରହୁଥିବା ଜୋତା ବ୍ୟବସାୟୀ ମହମ୍ମଦ ରସିଦଙ୍କ ଘରେ ସଶସ୍ତ୍ର ଡକାୟତି କରିଛନ୍ତି। ଦୁର୍ବୃତ୍ତମାନେ ରସିଦ୍ଙ୍କ ଭାଣିଜୀ ଏମ. ବେଗମଙ୍କ ତଣ୍ଟିରେ ଛୁରୀ ରଖିଥିଲେ। ପାଟି ଖୋଲିଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଉପର ମହଲାରେ ଥିବା ରସିଦ୍ଙ୍କ ମା’ ଏମ. ହସିନା ଏଥିରେ ଭୟଭୀତ ହୋଇ ପଡ଼ିଥିଲେ। ପରେ ଦୁର୍ବୃତ୍ତଦ୍ୱୟ କ୍ୟାସ କାଉଣ୍ଟରରୁ ୯୦ ହଜାର ଟଙ୍କା ଲୁଟିନେଇଥିଲେ। ବ୍ୟବସୟୀ ଜଣକ ଏନେଇ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ଖୋଲା ଚାଲେଞ୍ଜ ଦେଇ ଦୁର୍ବୃତ୍ତ ଏପରି କାଣ୍ଡ ଘଟାଇଥିବାରୁ ଏହା ମୁଣ୍ଡବିନ୍ଧାର କାରଣ ପାଲଟିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଲୁଟେରାଙ୍କୁ ଧରିବା ପାଇଁ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି।