ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ ୯ ଲକ୍ଷ ୨୬ ହଜାର ଟଙ୍କା ଲୁଟି ଫେରାର ହୋଇଯାଇଥିବା ଜଣାପଡିଛି।

ମିଳିଥିବା ସୂଚନା ମୁତାବକ, ଗୁରୁବାର ଅପରାହ୍ନ ୩ଟାରେ ବ୍ୟାଙ୍କର ସଟର ଅଧା ବନ୍ଦ ରହିଥିଲା। ସେତିକିବେଳେ ୨ଜଣ ଯୁବକ ସଟର ଟେକି ବ୍ୟାଙ୍କ ଭିତରକୁ ପ୍ରବେଶ କରି ଭିତର ପଟୁ ସଟର ବନ୍ଦ କରିଦେଇ ଥିଲେ । ସେତିକିବେଳେ ବ୍ୟାଙ୍କର ୨ଜଣ କୋଷାଧ୍ୟକ୍ଷ ମମତା ଭୋଇ ଓ ଚନ୍ଦନ ସାହୁ ଖାଉଥିଲେ। ହେଲେ ବ୍ୟାଙ୍କ ମ୍ୟାନେଜର ବାହାରକୁ ଖାଇବାକୁ ଯାଇଥିଲେ । ଏହାର ଫାଇଦା ନେଇ ଯୁବକ ଦ୍ୱୟ କୋଷାଧ୍ୟକ୍ଷଙ୍କୁ ବନ୍ଧୁକ ଓ ଛୁରୀ ଦେଖାଇ ଟଙ୍କା କାଉଣ୍ଟର ଦେଖାଇବା ପାଇଁ ଧମକ ଦେଇଥିଲେ। ପରେ କାଉଣ୍ଟର ଡ୍ର’ରୁ ୯ ଲକ୍ଷ ୨୬ ହଜାର ଟଙ୍କା ଲୁଟି ଫେରାର ହୋଇଯାଇଥିଲେ । ଏହି ଘଟଣା ସମ୍ପର୍କରେ ବ୍ୟାଙ୍କ ମ୍ୟାନେଜରଙ୍କୁ ଜଣାଇବାରୁ ତୁରନ୍ତ ସେ ବରପାଲି ଆଇଆଇସି ଓ ବ୍ୟାଙ୍କ ଉଚ୍ଚସ୍ତରୀୟ ପଦାଧିକାରୀଙ୍କୁ ଖବର କରିଥିଲେ । ଖବର ପାଇ ପୋଲିସ ପହଞ୍ଚି ସିସି ଟିଭି ଫୁଟେଜ୍‌ ଯାଞ୍ଚ କରି ତଦନ୍ତ ଆରମ୍ଭ କରଛି। ଏପରିକି ବରଗଡ଼ ଏସ୍‌ପି ପ୍ରହଲ୍ଲାଦ ସହାୟ ମିନା, ଆଇଜି ହିମାଂଶୁ କୁମାର ଲାଲ, ବରପାଲି ଆଇଆଇସି ଜୟରଶ୍ମୀ ସେଠି ପ୍ରମୁଖ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Share