ଧରାପଡ଼ିଲା ନିଶାଦିଆ ଲୁଟେରା ଗ୍ୟାଙ୍ଗ

ଭୁବନେଶ୍ୱର,୧ା୧୧ (ବ୍ୟୁରୋ): ରାଜଧାନୀର ରେଲଓ୍ବେ ଷ୍ଟେଶନ ଓ ବସ୍‌ ଷ୍ଟାଣ୍ଡ ଅଞ୍ଚଳରେ ଯାତ୍ରୀଙ୍କୁ ନିଶା ଦେଇ ଲୁଟ୍‌ କରୁଥିବା ଏକ ଗ୍ୟାଙ୍ଗର ୨ସଦସ୍ୟଙ୍କୁ ଖଣ୍ଡଗିରି ପୋଲିସ ଟିମ୍‌ ବରମୁଣ୍ଡାରୁ ଗିରଫ କରିଛି। ଏଥିସହ ସେମାନଙ୍କ ନିକଟରୁ ନିଶା ବଟିକା, ସୁନା ଚେନ୍‌, ମୋବାଇଲ ସମେତ ଲକ୍ଷାଧିକ ଟଙ୍କା ଜବତ କରିଛି। ଗିରଫ ୨ଅଭିଯୁକ୍ତ ହେଲେ ତମାଣ୍ଡୋ ଲକ୍ଷ୍ମୀବସ୍ତି ଅଞ୍ଚଳରେ ରହୁଥିବା ନୟାଗଡ଼ ଜିଲା ଓଡ଼ଗାଁ ଅଞ୍ଚଳର ସୁଶାନ୍ତ କୁମାର ରାଉତ ଓ ସାଲିଆ ସାହି ଅଞ୍ଚଳରେ ରହୁଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳର ସିମାଞ୍ଚଳ ସୁବୁଦ୍ଧି। ସୂଚନା ମୁତାବକ ଗତ ୨ମାସ ମଧ୍ୟରେ ବରମୁଣ୍ଡା ବସ୍‌ ଷ୍ଟାଣ୍ଡ ଅଞ୍ଚଳରେ ନିଶା ଦିଆ ଲୁଟେରାଙ୍କ ଉପତ୍ାତ ବଢ଼ିଥିଲା। ଖଣ୍ଡଗିରି ଥାନାରେ ୧୫ରୁ ଅଧିକ ଅଭିଯୋଗ ହୋଇଥିଲା। ଗଞ୍ଜାମ ଜିଲା ଗଲେରୀ ଅଞ୍ଚଳର କୃଷ୍ଣ ଚନ୍ଦ୍ର ପାତ୍ର ଗତ ୨୩ତାରିଖରେ ବସ୍‌ରେ ଆସି ବରମୁଣ୍ଡା ଷ୍ଟାଣ୍ଡରେ ଓହ୍ଲାଇଥିଲେ। ୨ଅଭିଯୁକ୍ତ ଓ ତାଙ୍କ ସହଯୋଗୀମାନେ ମିଶି କୃଷ୍ଣଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ। ପରେ ପାନୀୟରେ ନିଶା ମିଶାଇ ତାଙ୍କଠାରୁ ମୋବାଇଲ ଟଙ୍କା ଓ ବ୍ୟାଗ ଛଡ଼ାଇ ଫେରାର ହୋଇଯାଇଥିଲେ। ଏନେଇ କୃଷ୍ଣ ଥାନାରେ ଅଭିଯୋଗ କରିବାପରେ ପୋଲିସ ଏକ ଟିମ୍‌ ଗଠନ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ସିସିଟିଭି ଫୁଟେଜକୁ ଆଧାର କରି ଅଭିଯୁକ୍ତଙ୍କୁ ଧରିବା ନେଇ ଜାଲ ବିଛାଇଥିଲା ଶନିବାର ଭୋରୁ ଖଣ୍ଡଗିରି ପୋଲିସର ସ୍ବତନ୍ତ୍ର ଟିମ୍‌ ବରମୁଣ୍ଡ ଅଞ୍ଚଳରୁ ୨ ଅଭିଯୁକ୍ତଙ୍କୁ କାବୁ କରିଥିଲେ। ସେମାନଙ୍କୁ ଯାଞ୍ଚ କରିବା ପରେ ତାଙ୍କ ନିକଟରୁ ନିଶା ବଟିକା ପୋଲିସ ଜବତ କରି ଥାନାକୁ ନେଇଥିଲା। ସେମାନଙ୍କ ତଥ୍ୟକୁ ଆଧାର କରି ପୋଲିସ ତମାଣ୍ଡୋ ଓ ସାଲିଆସାହି ସ୍ଥିତ ୨ ଅଭିଯୁକ୍ତଙ୍କ ଘରେ ଚଢାଉ କରି ଲୁଟପାଟ ସାମଗ୍ରୀ ଜବତ କରିଥିଲା। ପୋଲିସ ସେମାନଙ୍କ ନିକଟରୁ ଗୋଟିଏ ପଲ୍‌ସର ବାଇକ, ୪ମୋବାଇଲ, ୧ ଲକ୍ଷ ୮ହଜାର ଟଙ୍କା, ସୁନା ଚେନ୍‌ ସମେତ ଲକେଟ ଓ ୨ ସୁନା ମୁଦି, ୨୦ଟି ସିମ୍‌ କାର୍ଡ, ୧୩ଟି ବିଦେଶୀ ଟଙ୍କା, ୫ଟି ହାତ ଘଣ୍ଟା ସମେତ ୮ଟି ଏୟାର ଓ ଟ୍ରଲି ବ୍ୟାଗ ପୋଲିସ ଜବତ କରିଛି। ଏ ନେଇ ପୋଲିସ ୬୭୯/୨୦ରେ ମାମଲା ରୁଜୁ କରି ୨ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ନେଇ ତଦନ୍ତ ଚଳାଇଛି।

Share