ହେମଗିର,୨୧।୧(ଚୈତନ୍ୟ ପଟେଲ/ ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନାସ୍ଥିତ ବରପାଲିଠାରେ ଜଣେ ବ୍ୟବସାୟୀଙ୍କ ଘରେ ରବିବାର ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି ହୋଇଛି। ଦୁର୍ବୃତ୍ତମାନେ ହାତ ଗୋଡ଼ ବାନ୍ଧି, ବନ୍ଧୁକ ଦେଖାଇ ପ୍ରାୟ ଏକ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟ୍ କରିଥିବା ହେମଗିର ଥାନାରେ ଅଭିଯୋଗ ହୋଇଛି। ଏନେଇ ପୋଲିସ ମାମଲା ରୁଜୁ କରିଛି। ଘଟଣା ସ୍ଥଳରେ ହେମଗିର ପୋଲିସ ଓ ସୁନ୍ଦରଗଡ଼ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ କରୁଛନ୍ତି।
ମିଳିଥିବା ସୂଚନାନୁସାରେ, ରବିବାର ରାତି ୧ଟା ସମୟରେ ବରପାଲିସ୍ଥିତ ନିଖିଲ ଅଗ୍ରୱାଲଙ୍କ ଘର ହତା ଭିତରେ ୬ରୁ ୭ଜଣ ମୁଖାପିନ୍ଧା ବ୍ୟକ୍ତି ପଶିଥିଲେ। ଘର ପଛପଟୁ ଏକ ରଶି ସାହାଯ୍ୟରେ ଭିତରକୁ ପଶିଥିଲେ। ଶୋଇଥିବା ଅବସ୍ଥାରେ ପରିବାର ଲୋକଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ। ପରେ ପରିବାରର ସମସ୍ତ ସଦସ୍ୟଙ୍କୁ ରଶିରେ ବାନ୍ଧି ମାରପିଟ କରିଥିଲେ। ଲୁଟେରାମାନେ ହିନ୍ଦୀରେ କଥାବାର୍ତ୍ତା କରୁଥିବା ସୂଚନା ମିଳିଛି। ଝିଅ ବାହାଘର ପାଇଁ ରଖାଯାଇଥିବା ନଗଦ ୧ଲ କ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଓ ଦେଢ଼ାକଜି ସୁନା , ୧ କେଜି ରୁପା ଗହଣା ମିଶି ଏକ କୋଟିରୁ ଊର୍ଦ୍ଧ୍ୱ ହେବ ବୋଲି ନିଖିଲ ଥାନାରେ ଅଭିଯୋଗ କରିଛନ୍ତି।