ଡକାୟତି ଯୋଜନା, ୭ ଗିରଫ

ଚୌଦ୍ୱାର,୮ା୪(ଡି.ଏନ.ଏ.): ଡକାୟତି ଯୋଜନାବେଳେ ଚୌଦ୍ୱାର ପୋଲିସ ୭ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ କଟକ ଦରଘାବଜାର ଥାନା ଅଧୀନ ବେପାରିସାହିର ଫିରୋଜ ଖାନ୍‌, ଏସ୍‌.କେ. ଆଜରୁଦ୍ଦିନ୍‌, କାଜିପାଟଣାର ଲାଲ ମିଜାଜ ବେଗ୍‌, ଦରଘାବଜାର ଅଞ୍ଚଳର ଆର. ବି. ଶ୍ୟାମ୍‌, ଟାଙ୍ଗୀ ଥାନା ସାଇଁଟୋ ଗ୍ରାମର ଇମ୍ରାନ୍‌ ଖାନ୍‌, ନାରପଡ଼ାର ଏସ୍‌.କେ. ଫରିଦ୍‌, ଏବଂ ଜଟଣୀ ଥାନା ଚିନ୍ତାମଣୀ ନଗରର ଇମ୍‌ତାଜ ଖାନ୍‌। ସେମାନଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ, ୫ଟି ଗୁଳି,ଦୁଇଟି ଖଣ୍ଡା, ଲଙ୍କାଗୁଣ୍ଡ ପ୍ୟାକେଟ୍‌, ୪ଟି ବାଇକ୍‌, ଏକ ବୋଲେରୋ ଓ ୯ଟି ମୋବାଇଲ ଫୋନ୍‌ ଜବତ କରାଯାଇଛି। ଚୌଦ୍ୱାର ଥାନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଜୋନ୍‌-୧ ଏସିପି ଅମରେନ୍ଦ୍ର ପଣ୍ଡା କହିଛନ୍ତି, ମଙ୍ଗଳପୁର-ବାଣୀପଦା ରାସ୍ତାର ନିକାଞ୍ଚନ ସ୍ଥାନରେ ଅଭିଯୁକ୍ତମାନେ ଡକାୟତି ଯୋଜନା କରୁଥିଲେ। ଖବରପାଇ ଚୌଦ୍ୱାର ଥାନା ଏସ୍‌ଆଇ ପାର୍ଥପ୍ରତିମ ବେଉରା ପୋଲିସ୍‌ ଟିମ୍‌ ସହିତ ସେଠାରେ ଚଢାଉ କରି ଅଭିଯୁକ୍ତମାନଙ୍କୁ କାବୁ କରିଥିଲେ। ଏ ନେଇ ଥାନାରେ ଏକ ମାମଲା(ନଂ. ୧୫୧/୨୧) ରୁଜୁ ହୋଇଛି।

Share