Categories: ଜାତୀୟ

ରବର୍ଟ ଭଦ୍ରା କରୋନା ସଂକ୍ରମିତ ହେବା ପରେ ଆଇସୋଲେଶନରେ ପ୍ରିୟଙ୍କା; ନିର୍ବାଚନୀ ସଭା ବାତିଲ

ନୂଆଦିଲ୍ଲୀ,୨।୪: ରବର୍ଟ ଭଦ୍ରା କରୋନା ସଂକ୍ରମିତ ହେବା ପରେ ଆଇସୋଲେଶନରେ ପ୍ରିୟଙ୍କା ଗାନ୍ଧୀ। ହେଲେ ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। କେବଳ ସତର୍କତା ଅବଲମ୍ବନସ୍ବରୂପ ଡାକ୍ତରମାନେ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ଏଣୁ ସେ ଆସାମ ଏବଂ ତାମିଲନାଡ଼ୁରେ ହେବାକୁ ଥିବା ନିର୍ବାଚନ ସମାବେଶରେ ଯୋଗ ଦେଇପାରିବେ ନାହିଁ ବୋଲି ଜଣାପଡ଼ିଛି।

ଏନେଇ ଟୁଇଟ୍‌ କରି ପ୍ରିୟଙ୍କା କହିଛନ୍ତି, ନିକଟରେ କରୋନା ସଂକ୍ରମଣ ସଂସ୍ପର୍ଶରେ ଆସିବା ହେତୁ ଆସାମ ଗସ୍ତ ବାତିଲ କରିବାକୁ ପଡ଼ୁଛି। ନିଜର କୋଭିଡ ରିପୋର୍ଟ ନେଗେଟିଭ୍‌ ଆସିଛି। ହେଲେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ କିଛି ଦିନ ଆଇସୋଲେଶନରେ ରହିବାକୁ ହେବ। ଏହି ଅସୁବିଧା ଲାଗି ସମସ୍ତଙ୍କ ନିକଟରେ କ୍ଷମାପାର୍ଥୀ। କଂଗ୍ରେସ ଜିତୁ ବୋଲି ପ୍ରାର୍ଥନା କରୁଛି।

ପ୍ରକାଶ ଯେ, କଂଗ୍ରେସର ସାଧାରଣ ସମ୍ପାଦକ ଥିବା ପ୍ରିୟଙ୍କା ଶୁକ୍ରବାର ୩ଟି ରାଲିରେ ଯୋଗଦେଇଥାନ୍ତି। ଏହାଛଡ଼ା ସେ ଶନିବାର ତାମିଲନାଡୁ ଗସ୍ତରେ ଯାଇଥାନ୍ତେ। ହେଲେ ଏବେ ତାହା ହୋଇପାରିବ ନାହିଁ।

Share