Categories: ଖେଳ

ମୁହଁ ମାଡ଼ି ପଡ଼ିଲା ଟିମ୍‌ ଇଣ୍ଡିଆ

ଲିଡ୍ସ,୨୮।୮: ଲଡର୍‌ସ ଟେଷ୍ଟରେ ଚମତ୍କାର ବିଜୟ ହାସଲ କରିଥିବା ଭାରତୀୟ ଦଳକୁ ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଏକ ଇନିଂସ ଓ ୭୬ ରନ୍‌ରେ ହରାଇ ଦେଇଛି ଘରୋଇ ଇଂଲଣ୍ଡ ଦଳ। ଏଭଳି ଫଳାଫଳ ଯୋଗୁ ୧-୧ର ବରାବର ସ୍ଥିତିରେ ପହଞ୍ଚିଛି ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌। ପ୍ରଥମ ଇନିଂସରେ ଭାରତ ୭୮ ରନ୍‌ କରିଥିବା ବେଳେ ଇଂଲଣ୍ଡ ୪୩୨ ରନ୍‌ କରିଥିଲା। ଫଳରେ ୩୫୪ ରନ୍‌ ପଛରେ ଥିବା ଟିମ୍‌ ଇଣ୍ଡିଆ ଚତୁର୍ଥ ଦିନରେ ୨୭୮ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି।

ଶନିବାର ଭାରତ ତା’ର ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୨୧୫/୨ରୁ ବ୍ୟାଟିଂ ଆରମ୍ଭ କରିଥିଲା। ସକାଳୁ ସକାଳୁ ଚେତେଶ୍ୱର ପୂଜାରା (୯୧) ଆଉଟ୍‌ ହୋଇ ପ୍ୟାଭିଲିୟନ ଫେରିଥିଲେ। ଏହା ପରେ ଗୋଟିଏ ପରେ ଗୋଟିଏ ଉଇକେଟ ହରାଇ ଚାଲିଥିଲା ଟିମ୍‌ ଇଣ୍ଡିଆ। ନା ଅଧିନାୟକ ବିରାଟ କୋହଲି (୫୫) ନା ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଇଂଲଣ୍ଡ ବୋଲରଙ୍କ ସମ୍ମୁଖୀନ ହୋଇ ପାରି ନ ଥିଲେ। ଫଳରେ ଭାରତୀୟ ଦଳ ତା’ର ଦ୍ୱିତୀୟ ଇନିଂସରେ ୨୭୮ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ବିଜୟୀ ଦଳ ପାଇଁ ଓଲି ରବିନସନ ୫ ଓ କ୍ରେଗ ଓଭର୍ଟନ ୩ ଉଇକେଟ ନେଇଥିଲେ।

Share