ରୋବୋ ଯୁଦ୍ଧ

ଣସି ଯୁଦ୍ଧ ପାଇଁ ସୈନିକ ଏବଂ ଅସ୍ତ୍ରଶସ୍ତ୍ର ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ। ପ୍ରାଚୀନ କାଳରେ ଖଣ୍ଡା, ତରବାରି ସାହାଯ୍ୟରେ ଯୁଦ୍ଧ ହେଉଥିଲା। ଏହା ଥିଲା ପ୍ରତ୍ୟକ୍ଷ ଯୁଦ୍ଧ। ଦୁଇଜଣ ସୈନିକ ସାମ୍‌ନାସାମ୍‌ନୀ ପରସ୍ପର ସହିତ ଯୁଦ୍ଧ କରୁଥିଲେ। ଅଶୋକ, ଆଲେକ୍‌ଜାଣ୍ଡାର, ନେପୋଲିଅନ ପ୍ରମୁଖ ସମ୍ରାଟ୍‌ମାନେ ବିଶାଳ ସୈନ୍ୟବାହିନୀ ନେଇ ଦିଗ୍‌ବିଜୟ କରିଥିଲେ। ଅସ୍ତ୍ର ଥିଲା ଖଣ୍ଡା ଓ ତରବାରି ଏବଂ ପଦାତିକବାହିନୀ ସହ ଅଶ୍ୱାରୋହୀ ଓ ଗଜାରୋହୀ ସୈନିକମାନେ ମଧ୍ୟ ଏଥିରେ ଥିଲେ। ପଞ୍ଚଦଶ ଶତାବ୍ଦୀ ବେଳକୁ ଯୁଦ୍ଧରେ ତୋପ, ଗୋଳାବାରୁଦ ବ୍ୟବହୃତ ହେଲା। ଏହି ପ୍ରଯୁକ୍ତି ବିଦ୍ୟାରେ ଯିଏ ପ୍ରଥମେ ଅଗ୍ରଗତି କରୁଥିଲା, ସେ ଯୁଦ୍ଧରେ ବିଜୟୀ ହେଲା। ମୋଗଲ ବାଦ୍‌ଶାହା ବାବର ସୁଦୂର ଆଫଗାନିସ୍ତାନରୁ ମାତ୍ର ଅଳ୍ପ କେତେଜଣ ସୈନିକଙ୍କୁ ଆଣି ଦିଲ୍ଲୀର ଶାସକ ଇବ୍ରାହିମ ଲୋଦିଙ୍କୁ ପରାସ୍ତ କରି ଭାରତରେ ମୋଗଲ ଶାସନ ପ୍ରତିଷ୍ଠା କରିଥିଲେ। ତାଙ୍କ ବିଜୟର କାରଣ ଥିଲା ଯେ ସେ ତୋପ ଓ ଗୋଳାବାରୁଦ ଧରି ଆସିଥିଲେ ଏବଂ ଭାରତରେ ସେତେବେଳ ପର୍ଯ୍ୟନ୍ତ ଏହାର ବ୍ୟବହାର ଜଣା ନ ଥିଲା। ଆଧୁନିକ ଯୁଗର ଯୁଦ୍ଧରେ ଜଳ, ସ୍ଥଳ ଓ ଆକାଶରୁ ବୋମା ନିକ୍ଷେପ ଯୁଦ୍ଧକୁ ଅଧିକ ଜଟିଳ କରିଦେଇଛି। ଦୁଇ ଶତ୍ରୁଦେଶର ସୈନିକମାନେ ପରସ୍ପରକୁ ନ ଦେଖି ମଧ୍ୟ ଏହି ଯୁଦ୍ଧ ଚାଲିଛି। ବର୍ତ୍ତମାନ ଯୁଦ୍ଧରେ ସୈନିକମାନଙ୍କ ସ୍ଥାନରେ ରୋବୋ ଯୁଦ୍ଧ କରୁଛନ୍ତି, ଯାହା ରଣକୌଶଳରେ ଏକ ନାଟକୀୟ ପରିବର୍ତ୍ତନ ଆଣିଛି।
୨୦୨୦ ମସିହା ମାର୍ଚ୍ଚରେ ଲିବ୍ୟାରେ ଗୃହଯୁଦ୍ଧ ଚାଲିଥିବା ବେଳେ ଏହାର ଜାତୀୟ ସୈନ୍ୟବାହିନୀର କେତେଗୁଡ଼ିଏ ଟ୍ରାକ୍‌ ଉପରେ ବିଦ୍ରୋହୀମାନେ ଡ୍ରୋନ୍‌ରୁ ବୋମାମାଡ଼ କରି ଅନେକ ସୈନିକଙ୍କୁ ହତ୍ୟା କରିଥିଲେ। ଏହି ଡ୍ରୋନ୍‌ରୁ ଶତ୍ରୁର ଲକ୍ଷ୍ୟସ୍ଥଳକୁ ଆକ୍ରମଣ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ପଡ଼ି ନ ଥିଲା। ଡ୍ରୋନ୍‌ ଆପେ ଆପେ ନିଜର ଲକ୍ଷ୍ୟସ୍ଥଳ ସ୍ଥିର କରି ଆକ୍ରମଣ କରିଥିଲା। ଏଥିରେ ଆଧୁନିକ ଜ୍ଞାନକୌଶଳ ‘କୃତ୍ରମ ବୁଦ୍ଧିମତ୍ତା’ ଖଞ୍ଜା ଯାଇଥିଲା।
ବର୍ତ୍ତମାନ ବିଶ୍ୱରେ ରୁଷିଆ ଓ ୟୁକ୍ରେନ ମଧ୍ୟରେ ଏବଂ ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଦୀର୍ଘଦିନ ଧରି ଯୁଦ୍ଧ ଚାଲିଛି। ଏଥିରେ ସଂଶ୍ଳିଷ୍ଟ ପ୍ରତ୍ୟେକ ଦେଶ ପାରମ୍ପରିକ ଯୁଦ୍ଧ ସମେତ ଡ୍ରୋନ୍‌ ସାହାଯ୍ୟରେ ଶତ୍ରୁକୁ ଆକ୍ରମଣ କରୁଛନ୍ତି। ଡ୍ରୋନ୍‌ ଯୁଦ୍ଧ ଦ୍ୱାରା ମନୁଷ୍ୟଙ୍କୁ ଯୁଦ୍ଧ କ୍ଷେତ୍ର ବାହାରେ ରଖାଯାଇ ପାରୁଛି। ବର୍ତ୍ତମାନର ବ୍ୟବହୃତ ଅଧିକାଂଶ ଡ୍ରୋନ୍‌କୁ ମନୁଷ୍ୟ ଦୂରରେ ରହି ନିୟନ୍ତ୍ରଣ କରୁଛି। କିନ୍ତୁ କୃତ୍ରିମ ବୁଦ୍ଧିମତ୍ତା ଦ୍ୱାରା ବଳୀୟାନ କେତେକ ଡ୍ରୋନ୍‌ ପାଇଁ ନିରନ୍ତର ନିର୍ଦ୍ଦେଶର ଆବଶ୍ୟକତା ନାହିଁ। ଏହାକୁ କେବଳ ଶତ୍ରୁପକ୍ଷର ଲକ୍ଷ୍ୟସ୍ଥଳକୁ ନିର୍ଦ୍ଦେଶ ଦିଆଯାଏ ଏବଂ ଏହା କିପରି ଓ କେଉଁ ଉପାୟରେ ଲକ୍ଷ୍ୟସ୍ଥଳକୁ ଆକ୍ରମଣ କରିବ, ତାହା ଏହା ନିଜେ ସ୍ଥିର କରିଥାଏ। ଡ୍ରୋନ୍‌ ଯୋଗୁ ଶତ୍ରୁ ଦେଶର ଗଭୀର ପ୍ରଦେଶରେ ପଶି ଆକ୍ରମଣ କରି ହେଉଛି, ଏଥିପାଇଁ ପାଇଲଟ୍‌ର ଜୀବନ ପ୍ରତି ଭୟନାହିଁ। ଏହି ପାଇଲଟବିହୀନ ବିମାନ ଯୁଦ୍ଧକୁ ଅତୀବ ସାଂଘାତିକରେ ପରିଣତ କରିଦେଇଛି। ଏହାଦ୍ୱାରା ବେସାମରିକ ବ୍ୟକ୍ତିଙ୍କର ଜୀବନ ସଙ୍କଟାପନ୍ନ ହେଉଛି। ଡ୍ରୋନ୍‌କୁ ମଧ୍ୟ ବହୁ ଦୂରରୁ ବିପକ୍ଷ ଦେଶକୁ ପଠାଇ ହେଉଛି। ଇରାନରୁ ଇସ୍ରାଏଲ ଉପରେ ନିକଟରେ ଏକଶହରୁ ଅଧିକ ଡ୍ରୋନ୍‌ ଏକ ସଙ୍ଗରେ କ୍ଷେପଣାସ୍ତ୍ର ବର୍ଷଣ କରିଥିଲେ।
ଯୁଦ୍ଧ କୌଶଳର ଏକ ନିୟମ ହେଉଛି ଯେ ଅସ୍ତ୍ରଶସ୍ତ୍ର ଯେତେ ଉନ୍ନତ ହେବ, ଯୁଦ୍ଧକ୍ଷେତ୍ରରେ ମନୁଷ୍ୟର ପ୍ରତ୍ୟକ୍ଷ ସମ୍ପର୍କ ହ୍ରାସ ପାଇବ ଏବଂ ମନୁଷ୍ୟ ହତ୍ୟା କରିବା କାର୍ଯ୍ୟରୁ ଅଧିକ ଦୂରେଇ ରହିବ। ଏହି କାର୍ଯ୍ୟ ଉନ୍ନତ ଅସ୍ତ୍ରଶସ୍ତ୍ର କରିବ। ଦୂରରୁ ରହି ମନୁଷ୍ୟ କେବଳ ଅସ୍ତ୍ରଶସ୍ତ୍ରକୁ ନିୟନ୍ତ୍ରଣ କରିବ। ଆଜିକାଲିର କ୍ଷେପଣାସ୍ତ୍ର ପାଞ୍ଚ ହଜାର କିଲୋମିଟରରୁ ଅଧିକ ଦୂରରେ ଥିବା ଲକ୍ଷ୍ୟସ୍ଥଳକୁ ବୋମାବାଡ଼ କରିପାରୁଛି। ପରମାଣୁ ଅସ୍ତ୍ର ହେଉଛି ସବୁଠାରୁ ଭୟଙ୍କର। ଏହାର ବ୍ୟବହାରରେ ଲକ୍ଷ ଲକ୍ଷ ବେସାମରିକ ନିରୀହ ଲୋକ ପ୍ରାଣ ହରାଇଥାଆନ୍ତି। ୧୯୪୫ ମସିହାରେ ଜାପାନର ହିରୋସିମା ଓ ନାଗାସାକିରେ ପରମାଣୁ ବୋମା ନିକ୍ଷେପ ପରେ ଆଉ କେଉଁଠାରେ ଏହାର ବ୍ୟବହାର ହୋଇନାହିଁ। ଜାପାନରେ ଦୁଇଲକ୍ଷରୁ ଅଧିକ ନିରୀହ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଆଶା କରାଯାଉଥିଲା ଯେ, ପୃଥିବୀରେ ଆଉ ପରମାଣୁ ବୋମା ନିର୍ମାଣ ହେବ ନାହିଁ। କିନ୍ତୁ ସେହି ଆଶା ଆଶାରେ ରହିଗଲା। ଆଜି ଆଠଟି ଦେଶ ପାଖରେ ପାଞ୍ଚ ହଜାରରୁ ଅଧିକ ପରମାଣୁ ବୋମା ଗଚ୍ଛିତ ହୋଇ ରହିଛି। ରୁଷିଆ ମଧ୍ୟ ଏହାକୁ ୟୁକ୍ରେନ ବିପକ୍ଷରେ ବ୍ୟବହାର କରିବା ପାଇଁ କେତେଥର ଧମକ ଦେଇଛି। ରୁଷ ଓ ୟୁକ୍ରେନ ମଧ୍ୟରୁ ଦୁଇବର୍ଷରୁ ଅଧିକ ସମୟ ଧରି ଯୁଦ୍ଧ ଚାଲିଛି ଏବଂ ଏଥିରେ ସେମାନଙ୍କର ସୈନିକ ସଂଖ୍ୟା କ୍ରମଶଃ କମିବାରେ ଲାଗିଛି। ଏଣୁ ରୋବୋ ଯୁଦ୍ଧ ହେଉଛି ଏକ ଉତ୍ତମ ଉପାୟ। ଦୁଇଦେଶ ଡ୍ରୋନ୍‌ ଯୁଦ୍ଧ ଚଳାଇଥିବାରୁ ବର୍ତ୍ତମାନ ସେଠାରେ ଯୁଦ୍ଧ ଡ୍ରୋନ୍‌ ଏବଂ ଡ୍ରୋନ୍‌ ମଧ୍ୟରେ ହେଉଥିବାର ମନେହୁଏ।
ସେହିପରି ଶତ୍ରୁର ଆକ୍ରମଣରୁ ରକ୍ଷା ପାଇବା ପାଇଁ ମଧ୍ୟ ରୋବଟ୍‌ ବ୍ୟବହୃତ ହେଉଛି। ଇସ୍ରାଏଲ ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼କୁ ତାହାର ‘ଆଇରନ ଡୋମ୍‌’ ରକ୍ଷା କରିଥିଲା। ଏହି ଡୋମ୍‌ ହେଉଛି ଏକ ସ୍ବୟଂଚାଳିତ ପ୍ରତିରକ୍ଷା ବ୍ୟବସ୍ଥା। ଦେଶ ଭିତରକୁ କ୍ଷେପଣାସ୍ତ୍ର ଆସିଲେ ଏହା ତୁରନ୍ତ ଏହାର ଚିହ୍ନଟ କରି ଏହାକୁ ଅକାମୀ କରିଦେବା ପାଇଁ ପଦକ୍ଷେପ ନିଏ। କେବଳ ଡ୍ରୋନ୍‌ ନୁହେଁ, ରୁଷିଆ ଓ ୟୁକ୍ରେନ ଯୁଦ୍ଧରେ ଚାଳକବିହୀନ ଟ୍ୟାଙ୍କ ମଧ୍ୟ ବ୍ୟବହୃତ ହେଉଛି। ସୀମାନ୍ତରେ ସୈନ୍ୟମାନଙ୍କୁ ଖାଦ୍ୟ ଓ ଅସ୍ତ୍ରଶସ୍ତ୍ର ଦେବା ପାଇଁ ମଧ୍ୟ ଚାଳକବିହୀନ ଗାଡ଼ି ବ୍ୟବହୃତ ହେଉଛି।
ବର୍ତ୍ତମାନ ଡ୍ରୋନ୍‌ର ଚାହିଦା ବୃଦ୍ଧି ପାଇଛି। ବିଶେଷକରି କୃତ୍ରିମ ବୁଦ୍ଧିମତ୍ତା ସମ୍ପନ୍ନ ଡ୍ରୋନ ପାଇଁ ପ୍ରତ୍ୟେକ ଦେଶ ଆଗ୍ରହୀ। କିନ୍ତୁ ବିଜ୍ଞାନର ଏହି ଉଦ୍ଭାବନ କେବଳ ମାନବ ସେବା ପାଇଁ ହେଉ, ବିନାଶ ପାଇଁ ନୁହେଁ।

ଇଂ. ମାୟାଧର ସ୍ବାଇଁ
ଲକ୍ଷ୍ମୀବିହାର, ଫେଜ-୧, ଭୁବନେଶ୍ୱର
ମୋ: ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କେଶ କାଟିବାକୁ ହେଲେ ସେଲୁନ୍‌ ଯିବାକୁ ପଡେ। ହେଲେ ସେଲୁନ୍‌ କେବେ ଲୋକଙ୍କ ପାଖକୁ ଆସିବା ଦେଖିଛନ୍ତି! ଅଜବ କଥା ଭଳି ଲାଗୁଥିଲେ ବି ଏମିତି...

ସନ୍ଦେହଘେରରେ ୟୁପିଏସ୍‌

କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନଗୁଡ଼ିକର ସମର୍ଥନ ଓ ଭାଗୀଦାରିରେ ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରିଷଦ (ଏନ୍‌ଜେସିଏ) ଭଳି ଏକ ବୃହତ୍‌କାୟ ସର୍ବଭାରତୀୟ ମିଳିତ ମଞ୍ଚ ଅଧୀନରେ ରେଳ...

ପରିସ୍ଥିତିର ଦାସ

ରୁଷିଆ-ୟୁକ୍ରେନ ଯୁଦ୍ଧ ଡିସେମ୍ବର ୨୧ରେ ଏକ ଭିନ୍ନ ଚିତ୍ର ତୋଳିଛି। ୨୦୦୧ ସେପ୍ଟେମ୍ବର ୧୧ (୯/୧୧)ରେ ଓସମା ବିନ୍‌ ଲାଡେନ୍‌ଙ୍କ ସଙ୍ଗଠନ ଅଲ୍‌-କାଏଦା ଆମେରିକାର ବିଶ୍ୱ...

ଏଇ ଭାରତରେ

ବୟସ ୨୫, ହେଲେ ଜାସ୍‌ କାଲ୍‌ରାଙ୍କ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ତଥା ପ୍ରେରଣାଦାୟକ। ଏହି ବୟସରେ ଜାସ୍‌ ଗୁରୁଗ୍ରାମରେ ଏକ ଆଶ୍ରୟସ୍ଥଳୀରେ ୧,୨୦୦ ଅସହାୟ ଲୋକଙ୍କୁ...

ନାଗା ସୃଜନ ନାୟିକା

ଏବେ ସାହିତ୍ୟରେ ଗୋଟେ ନୂଆ ଫର୍ମାଟ୍‌ ବିକଶିତ ହୋଇଛି। ପୁରୁଣା କଥାବସ୍ତୁ, ପୌରାଣିକ ଆଖ୍ୟାୟିକା, ଐତିହାସିକ ଘଟଣାବଳୀକୁ ଲେଖକମାନେ ନୂତନ ଢଙ୍ଗରେ ବ୍ୟାଖ୍ୟାନ କରି ବଡ଼...

ଗଣତନ୍ତ୍ରରେ ଦଳ ଓ ସରକାର

ଆମ ଦେଶ ଯେ ବିଶ୍ୱରେ ଏକ ସର୍ବବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ପରିଚିତ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ୭୮ ବର୍ଷ ଧରି ନିରବଚ୍ଛିନ୍ନ ଭାବେ...

ଆଗକୁ କ’ଣ ଘଟିବ

୨୦୨୫ ବର୍ଷଟି ବିଭିନ୍ନ ଉପାୟରେ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବ। ଡୋନାଲ୍ଡ ଟ୍ରମ୍ପ ଆସନ୍ତା ମାସରେ ପୁନର୍ବାର ଆମେରିକାର ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିବା...

ମୁଁ କାହିଁକି ବାହାହେବି

ରତୀୟ ପରମ୍ପରାରେ ବିବାହ ହେଉଛି ଏକ ପବିତ୍ର ବନ୍ଧନ। ସାମାଜିକ ଚଳଣି ଓ ଜୀବନ ନିର୍ବାହ ନିମନ୍ତେ ବିବାହ ଜରୁରୀ। ଜଣେ ମଣିଷର ଜୀବନ ହେଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri