ପ୍ରସ୍ତାବରେ ଅଟକିଛି ରୋବୋଟିକ ସର୍ଜରୀ

କଟକ ଅଫିସ,୨୨ା୭: ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ରୋବୋଟିକ ସର୍ଜରୀ ଦ୍ୱାରା ଅସ୍ତ୍ରୋପଚାର ପାଇଁ ୨୦୧୭ରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତାବ ରଖିଥିଲା। ୨୦୧୭ ଡିସେମ୍ବର ସୁଦ୍ଧା ଏହି ଚିକିତ୍ସା ପଦ୍ଧତି ଆରମ୍ଭ କରିବାକୁ ସରକାର ଟାର୍ଗେଟ୍‌ କରିଥିଲେ। ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହେବା ଉପରେ ଥିଲା। ଅଢ଼େଇ ବର୍ଷ ବିତି ଯାଇଥିଲେ ବି ଏହା କାର୍ଯ୍ୟକ୍ଷମ ହୋଇ ନ ପାରିବା ସବୁଠୁ ବଡ଼ ବିଡ଼ମ୍ବନା।
ରୋବୋଟିକ୍‌ ଚିକିତ୍ସା ପଦ୍ଧତି କାର୍ଯ୍ୟକାରୀ ହୋଇଥିଲେ ରାଜ୍ୟର ଅନେକ ରୋଗୀ କମ୍‌ ଖର୍ଚ୍ଚରେ ଉତ୍ତମ ଶଲ୍ୟ ଚିକିତ୍ସା ପାଇଥାନ୍ତେ। ରୋବୋଟିକ ସର୍ଜରୀ ଦ୍ୱାରା ରୋଗୀ ଦେହରେ କମ୍‌ କଟାକଟି ଓ ସର୍ବନିମ୍ନ ରକ୍ତସ୍ରାବରେ ଅସ୍ତ୍ରୋପଚାର କରିହୁଏ। ଶରୀରର ଯେଉଁ ସବୁ ଅଙ୍ଗପ୍ରତ୍ୟଙ୍ଗ ପାଖରେ ଡାକ୍ତରଙ୍କ ହାତ ପହଞ୍ଚେ ନାହିଁ, ସେସବୁ ସ୍ଥାନରେ ରୋବୋଟ ପହଞ୍ଚତ୍ ସଫଳ ଅସ୍ତ୍ରୋପଚାର କରିପାରେ। କମ୍‌ କଟାକଟି ଓ ରକ୍ତସ୍ରାବ ଯୋଗୁ ଅସ୍ତ୍ରୋପଚାର ପରେ ରୋଗୀ ମଧ୍ୟ ଶୀଘ୍ର ଆରୋଗ୍ୟ ହୋଇ ଘରକୁ ଫେରେ। ଏସବୁ ବିଶେଷ ସୁବିଧା ପାଇଁ ଏସ୍‌ସିବିର ୟୁରୋଲୋଜି (ମୂତ୍ରାଶୟ) ବିଭାଗରେ ପ୍ରଥମେ ଏହି ମେଶିନ ବ୍ୟବହାର ପାଇଁ ନିଷ୍ପତ୍ତି ହୋଇଥିଲା। କାରଣ ଏହି ବିଭାଗରେ କିଡ୍‌ନୀ ଟ୍ରାନ୍ସପ୍ଳାଣ୍ଟ, ପ୍ରୋଷ୍ଟେଟ କ୍ୟାନସର ଭଳି ସୂକ୍ଷ୍ମ ଅସ୍ତ୍ରୋପଚାର ହୁଏ। ଏହା ବ୍ୟତୀତ ରୋବୋଟିକ ସର୍ଜରୀକୁ କ୍ୟାନସର, ଇଏନ୍‌ଟି, ହୃଦ୍‌ଶଲ୍ୟ, ଗ୍ୟାଷ୍ଟ୍ରୋ ସର୍ଜରୀ, ସ୍ତ୍ରୀରୋଗ ଭଳି ବିଭାଗରେ ମଧ୍ୟ ବ୍ୟବହାର କରାଯାଏ। ଏନେଇ ୟୁରୋଲୋଜି ବିଭାଗର ମୁଖ୍ୟ ତଥା ଏସ୍‌ସିବି ପ୍ରିନ୍ସିପାଲ ପ୍ରଫେସର ଦତ୍ତେଶ୍ୱର ହୋତା କହିଛନ୍ତି, ଏହା ମୋର ଡ୍ରିମ୍‌ ପ୍ରୋଜେକ୍ଟ। ୨୦୧୭ ଡିସେମ୍ବର ଶେଷ ସୁଦ୍ଧା ଏହା ଆରମ୍ଭ ହେବାର ଥିଲେ ମଧ୍ୟ ବିଳମ୍ବର କାରଣ ଜଣାପଡୁନାହିଁ। ଆମ ପାଖରେ ପୂରା ଡାକ୍ତରୀ ଟିମ୍‌ ଅଛି। ଆମ ସହ ଆଉ ୧୫ ଜଣ ୟୁରୋଲୋଜି ବିଭାଗର ଏମ୍‌ସିଏଚ୍‌ ଛାତ୍ର ମଧ୍ୟ ଅଛନ୍ତି। ଭିତ୍ତିଭୂମି ପ୍ରସ୍ତୁତ, କେବଳ ମେଶିନ ଆସିଲେ କାମ ଆରମ୍ଭ ହେବ।

Share