ଦାରିଦ୍ର୍ୟ ଦୂର କରିବ ରୋବୋ

ଓ୍ବାଶିଂଟନ୍‌, ୨ା୧୦: ବିଶ୍ୱର ସବୁଠୁ ଧନୀ ଏଲନ ମସ୍କଙ୍କ ବୈଦ୍ୟୁତିକ୍‌ କାର ନିର୍ମାଣକାରୀ କମ୍ପାନୀ ଟେସ୍‌ଲା ଏହାର ବାର୍ଷିକ ଏଆଇ ଦିବସ ପାଳନ ଅବସରରେ ଏକ ହୁମ୍ୟାନଏଡ୍‌ ରୋବୋ ଅପ୍ଟିମସ୍‌ର ପ୍ରଦର୍ଶନ କରାଇଛି। ଅବିକଳ ମଣିଷ ଭଳି ଏହି ରୋବୋ କାମ କରିପାରିବ। ଏପରିକି ଭବିଷ୍ୟତରେ ଏହା ଦାରିଦ୍ର୍ୟ ଦୂର କରିପାରିବ ବୋଲି ମସ୍କ କହିଛନ୍ତି। ଖୁବଶୀଘ୍ର ଏହାକୁ ମନୁଷ୍ୟ ବ୍ୟବହାର ନିମନ୍ତେ ପୂର୍ଣ୍ଣ ପ୍ରସ୍ତୁତ କରାଯିବ। ସାଧାରଣ କାର୍‌ଠାରୁ ଏହାର ମୂଲ୍ୟ କମ୍‌ ରହିବ। ଉତ୍ପାଦନ ବଢ଼ିଲେ ଧୀରେ ଧୀରେ ମୂଲ୍ୟ ହ୍ରାସ ପାଇ ଏହା ସମସ୍ତଙ୍କ ନିକଟରେ ପହଞ୍ଚିପାରିବ। ଲୋକେ ନିଜ ପ୍ରିୟଜନଙ୍କୁ ଏହି ରୋବୋ ଉପହାର ଦେଇପାରିବେ ବୋଲି ଟେସ୍‌ଲା ସିଇଓ ମସ୍କ ପ୍ରକାଶ କରିଛନ୍ତି। ଏହି ଅବସରରେ ରୋବୋଟି ମଞ୍ଚରେ ଚାଲିବା, ଆଣ୍ଠେଇବା, ବସିବା ସହ ଲୋକଙ୍କୁ ହାତ ହଲାଇ ଅଭିବାଦନ ଜଣାଉଥିବା ଦେଖିବାକୁ ମିଳିଥିଲା।
ରୋବୋ ଦ୍ୱାରା ମଣିଷ ଅନେକ କିଛି କାର୍ଯ୍ୟ ହାସଲ କରିପାରିବ। ୭୩ କେଜି ଓଜନର ରୋବୋର ବାହୁରେ ୨.୩ କିଲୋଓ୍ବାଟ-ଆଓ୍ବାରର ବ୍ୟାଟେରି ପ୍ୟାକ୍‌ ରହିଛି। ଏଥିରେ ଲାଗିଥିବା ଚିପ୍‌ ସିଷ୍ଟମ୍‌ ସହାୟତାରେ ରୋବୋ ନିଜ ହାତଗୋଡ଼ ଉଠାଇପାରିବ। ବିଭିନ୍ନ କାମରେ ଏହା ସାହାଯ୍ୟ କରିବା ସହ ବୁଝି ହେଉ ନ ଥିବା ବା କଷ୍ଟସାଧ୍ୟ କାର୍ଯ୍ୟ ସମ୍ପୂର୍ଣ୍ଣ ଦିଗରେ ଏହା ଲାଭଦାୟକ ହେବ। ବୟସ୍କ ଲୋକେ ଏଥିରୁ ବହୁ ପରିମାଣରେ ଉପକୃତ ହେବେ। ମଣିଷ ସମାଜରେ ଏକ ମୌଳିକ ପରିବର୍ତ୍ତନ ଆଣିବାରେ ରୋବୋ ସହାୟକ ହେବ ବୋଲି ମସ୍କ ଦାବି କରିଛନ୍ତି। ଅପ୍ଟିମସ୍‌ ସହାୟତାରେ ଜଣେ ବ୍ୟକ୍ତି ଥରକରେ ଏକାଧିକ କାର୍ଯ୍ୟ କରିବାରେ ସକ୍ଷମ ହେବେ। ଏହା ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଏବଂ ଅନ୍ୟ କେହି ଖରାପ ଉଦ୍ଦେଶ୍ୟରେ ସେଥିରେ ପରିବର୍ତ୍ତନ ନ କରିପାରିବା ଭଳି ବ୍ୟବସ୍ଥା ରହିଛି। ମଣିଷ ଭଳି ଆକୃତିର ଏହି ରୋବୋ ଆସନ୍ତା ୩ରୁ ୫ ବର୍ଷ ମଧ୍ୟରେ ଜନସାଧାରଣଙ୍କ ପାଇଁ ଉପଲବ୍ଧ ହେବ ବୋଲି ମସ୍କ କହିଛନ୍ତି। ମସ୍କଙ୍କ ଏହି ଉଦ୍ଭାବନକୁ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମଣିଷ ସମାଜ ପାଇଁ ବିପଦ ବୋଲି ପୂର୍ବରୁ ମସ୍କ କହିଥିବାବେଳେ ଏବେ ମାନବ ସଭ୍ୟତାରେ ପରିବର୍ତ୍ତନ ଆଣିବା ଭଳି ରୋବୋ ପ୍ରସ୍ତୁତ କରିବାକୁ ନେଇ ଅନେକେ ପ୍ରଶ୍ନ ଉଠାଇଛନ୍ତି। ତେବେ ଅନେକେ ଏହି ରୋବୋ ସପକ୍ଷରେ ସୋସିଆଲ ମିଡିଆରେ ସେମାନଙ୍କ ସକାରାତ୍ମକ ମତ ରଖିଛନ୍ତି।

Share