କାନ୍ଧାହାର ବିମାନ ବନ୍ଦର ଉପରେ ରକେଟ ମାଡ଼…

କାବୁଲ,୧।୮: ଆଫଗାନିସ୍ତାନରେ ସରକାରୀ ସୈନ୍ୟ ବାହିନୀ ଏବଂ ତାଲିବାନ ଆତଙ୍କବାଦୀ ସଂଗଠନ ମଧ୍ୟରେ ଭୀଷଣ ଲଢ଼େଇ ଜାରି ରହିଛି। କାନ୍ଧାହାର ବିମାନବନ୍ଦର ଉପରେ ରକେଟ ମାଡ଼ କରାଯାଇଥିବା ସ୍ଥାନୀୟ ନ୍ୟୁଜ୍‌ ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି। ବିମାନ ବନ୍ଦର ଉପରେ ୩ଟି ରକେଟ ମାଡ଼ କରାଯାଇଛି। ଆକ୍ରମଣ ପରେ ସୁରକ୍ଷା ଦୃଷ୍ଟିରୁ ସମସ୍ତ ବିମାନ ଉଡ଼ାଣକୁ ବାତିଲ କରାଯାଇଛି। ଆଫଗାନିସ୍ତାନରୁ ଆମେରିକାର ସୈନ୍ୟ ହଟିବା ପରେ ଦେଶରେ ପୂର୍ବ ଭଳି ପୁଣି ଗୃହ ଯୁଦ୍ଧ ଆରମ୍ଭ ହୋଇଛି। ଦକ୍ଷିଣ ଆଫଗାନିସ୍ତାନର ବିମାନବନ୍ଦରର ମୁଖ୍ୟ ମାସୁଦ ପସ୍ତୁନ କହିଛନ୍ତ ିକାନ୍ଦାହାର ବିମାନବନ୍ଦରରେ ରକେଟରେ ଜୋରଦାର୍‌ ଆକ୍ରମଣ ହୋଇଛି। କାନ୍ଧାହାର ବର୍ତ୍ତମାନ ସୁଦ୍ଧା ସରକାରଙ୍କ ନିୟନ୍ତ୍ରଣରେ ରହିଛି। ତେଣୁ ତାଲିବାନ କାନ୍ଧାହାର ଉପରେ କବ୍‌ଜା କରିବାକୁ ଉଦ୍ୟମ ଜାରି ରଖିଛି। ସରକାର କାନ୍ଧାହାରରେ ଏକ ଶରଣାର୍ଥୀ ଶିବିର ସ୍ଥାପନ କରିଛନ୍ତି। ସେଠାରେ ୧୧ ହଜାରରୁ ଅଧିକ ପରିବାର ବାସ କରୁଥିବା କାନ୍ଧାହାର ସାଂସଦ ସୟଦ ଅହମ୍ମଦ ସୈଲାବ ସୂଚନା ଦେଇଛନ୍ତି। ଜୀବନ ଭୟରେ ଶହ ଶହ ଗାଁର ହଜାର ହଜାର ଲୋକ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ହୋଇଛନ୍ତି। ତାଲିବାନ ଇତିମଧ୍ୟରେ ଦେଶର ୮୫ ପ୍ରତିଶତ ଅଞ୍ଚଳକୁ ନିଜ ନିୟନ୍ତ୍ରଣକୁ ନେଇଥିବା କୁହାଯାଉଛି। କାନ୍ଧାହାର ସହର ବାହାରେ ଥିବା ଚେକ୍‌ ପୋଷ୍ଟଗୁଡ଼ିକୁ ତାଲିବାନ ନିଜ ନିୟନ୍ତ୍ରଣରେ ରଖିଛି।

Share