ଓ୍ବାଶିଂଟନ, ୨୫।୮ : ସିରିଆରେ ଇରାନ ସମର୍ଥିତ ଆତଙ୍କବାଦୀଙ୍କ ପକ୍ଷରୁ ହୋଇଥିବା ଦୁଇଟି ରକେଟ ମାଡ଼ରେ ତିନି ଜଣ ଆମେରିକୀୟ ସୈନିକ ଆହତ ହୋଇଛନ୍ତି। ଆମେରିକାର ସେଣ୍ଟ୍ରାଲ କମାଣ୍ଡ (ସେଣ୍ଟକମ) ଏକ ବିବୃତ୍ତି ଜାରି କରି ଏଭଳି କହିଛି। ଏହା ପରେ ଆମେରିକା ମଧ୍ୟ ହେଲିକପ୍ଟର ଯୋଗେ ଏହାର ଜବାବ ଦେଇଛି। ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ତିନି ଜଣ ଆହତ ସୈନିକଙ୍କ ମଧ୍ୟରୁ ଜଣେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିବାବେଳେ ଦୁଇଜଣଙ୍କ ଚିକିତ୍ସା ଜାରି ରହିଛି।
ଆମେରିକାର ସେଣ୍ଟ୍ରାଲ କମାଣ୍ଡ କହିଛି ଯେ ଇରାନ ସମର୍ଥିତ ଆତଙ୍କବାଦୀମାନେ ଉତ୍ତର ପୂର୍ବ ସିରିଆର କନୋକୋ ଏବଂ ଗ୍ରୀନ ଗ୍ରାମରେ ଆମେରିକାର ଦୁଇଟି ସୈନ୍ୟ ଶିବିରରେ ଏକାଧିକ ରକେଟ ଗୁଳି ଚଳାଇଛି। ତେବେ ଆମେରିକା ସୈନ୍ୟ ହେଲିକପ୍ଟର ବ୍ୟବହାର କରି ଏହି ଆକ୍ରମଣର ପ୍ରତିଶୋଧ ନେଇଛି। ଆମେରିକାର ଆକ୍ରମଣରେ ରକେଟ ଉତକ୍ଷେପଣରେ ବ୍ୟବହୃତ ତିନୋଟି ଯାନ ଏବଂ ଉପକରଣ ନଷ୍ଟ ହୋଇଥିବା କୁହାଯାଉଛି। ସ୍ପୁଟ୍ନିକ ସୂତ୍ରରୁ ପ୍ରକାଶ ଯେ ପ୍ରାଥମିକ ଆକଳନରୁ ଜଣାପଡିଛି ଯେ ଆମେରିକାର ସୈନ୍ୟ ଦୁଇ କିମ୍ବା ତିନି ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି।