କାବୁଲ ବିମାନ ବନ୍ଦର ନିକଟରେ ପୁଣି ୫ ରକେଟ ମାଡ

କାବୁଲ,୩୦ ।୮: ଆଫଗାନିସ୍ତାନର ରାଜଧାନୀ କାବୁଲରେ ସୋମବାର ସକାଳେ ପୁଣିଥରେ ଆକ୍ରମଣ କରାଯାଇଛି । କାବୁଲ ବିମାନ ବନ୍ଦର ନିକଟରେ ୫ଟି ରକେଟ ମାଡ କରାଯାଇଥିବା ସୂଚନା ମିଳିଛି । ସକାଳ ପ୍ରାାୟ ୬ଟା ୪୦ରେ ରକେଟ୍ ମାଡ କରାଯାଇଥିଲା । ରକେଟ ମାଡ ହେବା ଫଳରେ କେତେକ ସ୍ଥାନରେ ଧୂଆଁ ଦେଖାଯିବା ସହ ଭିନ୍ନ ଭିନ୍ନ ସ୍ଥାନରେ ନିଆଁ ଲାଗି ଯାଇଥିଲା । ଏହାଦ୍ୱାରା କିଛି ଗାଡି କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଏକ ଇଂରାଜୀ ନ୍ୟୁଜ ଏଜେନ୍ସିର ସୂଚନା ଅନୁଯାୟୀ କାବୁଲରେ ପୁଣି ଆକ୍ରମଣ ହୋଇଛି । ଏହା କିଏ ଓ କାହିଁକି କରିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ହେଲେ ବିମାନ ବନ୍ଦର ଆଖପାଖରେ ରକେଟ୍ ମାଡ କରାଯାଇଥିବା ବେଳେ ମିଶାଇଲ ଫିଲ୍ଡ ଡିଫେନ୍ସ ସିଷ୍ଟମ ମାଧ୍ୟମରେ ସମସ୍ତ ରକେଟକୁ ଅକାମୀ କରିଦିଆଯାଇଛି । ହ୍ୱାଇଟ ହାଉସ ପକ୍ଷରୁ କାବୁଲ ବିମାନ ବନ୍ଦର ନିକଟରେ ରକେଟ ମାଡ ହୋଇଥିବା କୁହାଯାଇଛି । ହ୍ୱାଇଟ ହାଉସର ପ୍ରେସ ସଚିବ ଜନ ସାକି ଏହି ସୂଚନା ଦେବା ସହ ସମସ୍ତ ରକେଟକୁ ଡିସ୍ପୋଜ କରିଦିଆଯାଇଥିବା କହିଛନ୍ତି ।

Share