ୟୁକ୍ରେନ୍‌ ଲାଗି ସହାୟତା ଘୋଷଣା କଲେ ଫେଡେରର୍‌

ନୂଆଦିଲ୍ଲୀ,୨୦।୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଇତିମଧ୍ୟରେ ୨୫ ଦିନ ବିତିଗଲାଣି। ରୁଷିଆର ଲଗାତାର ରକେଟ ଓ ବୋମା ମାଡରେ ଧ୍ୱଂସ ହୋଇଗଲାଣି ୟୁକ୍ରେନର ଅନେକ ସହର। ଅନେକ ସ୍କୁଲ, କଲେଜ ମଧ୍ୟ ନଷ୍ଟ ହୋଇଗଲାଣି। ଏସବୁ ଭିତରେ ବଳି ପଡୁଛନ୍ତି ୟୁକ୍ରେନର ଲକ୍ଷଲକ୍ଷ ଶିଶୁ। ଏବେ ଏହି ଅସହାୟ ଶିଶୁଙ୍କ ପାଇଁ ସହାୟତାର ହାତ ବଢାଇଛନ୍ତି ବିଶ୍ୱର ଖ୍ୟାତନାମା ଟେନିସ ଖେଳାଳି ରୋଜର ଫେଡେରର। ୟୁକ୍ରେନର ପୀଡ଼ିତ ଶିଶୁଙ୍କ ଶିକ୍ଷା ପାଇଁ ୫ ଲକ୍ଷ ଆମେରିକୀୟ ଡଲାର ଦେବାକୁ ଘୋଷଣା କରିଛନ୍ତି ଏହି ଟେନିସ ତାରକା। ୫ ଲକ୍ଷ ଡଲାର ତଥା ଭାରତୀୟ ମୁଦ୍ରାରେ ୩, ୭୯,୯୧,୮୨୧ ଟଙ୍କା ପ୍ରଦାନ କରିବାକୁ ସେ ଘୋଷଣା କରିଛନ୍ତି।

ଫେଡେରର କହିଛନ୍ତି, ‘ମୁଁ ଓ ମୋ ପରିବାର ୟୁକ୍ରେନରୁ ଆସୁଥିବା ଫଟୋ ଓ ଭିଡିଓକୁ ଦେଖି ଅତ୍ୟନ୍ତ ଭୟଭୀତ ହୋଇପଡିଛୁ। ଯୁଦ୍ଧ ଭିତରେ ଏଠିକାର ନିରୀହ ଲୋକ ପ୍ରଭାବିତ ହେଉଥିବା ଦେଖି ଆମକୁ କଷ୍ଟ ହେଉଛି। ଆମେ ଶାନ୍ତି ଚାହୁଁଛୁ । ଯୁଦ୍ଧ ପାଇଁ ପାଖାପାଖି ୬ ମିଲିଅନ ଅର୍ଥାତ ୬୦ ଲକ୍ଷ ଲୋକ ବର୍ତ୍ତମାନ ସ୍କୁଲ ଶିକ୍ଷାରୁ ବଞ୍ଚିତ । ତେଣୁ ସେମାନଙ୍କ ଶିକ୍ଷା ଜାରି ରଖିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ଚ୍ୟାଲେଞ୍ଜିଂ। ଏହି କ୍ଷେତ୍ରରେ ମୁଁ ଓ ମୋ ପରିବାର ଶିଶୁଙ୍କ ଶିକ୍ଷାକୁ ଗୁରୁତ୍ୱ ଦେଉଛୁ।’ ରୋଜର ଫେଡରର୍‌ ଫାଉଣ୍ଡେସନ ମାଧ୍ୟମରେ ୟୁକ୍ରେନ୍‌ର ପିଲାଙ୍କ ପାଠ ପଢ଼ା ପାଇଁ ସେ ଏହି ସହାୟତା ଯୋଗାଇବା ଲାଗି ଘୋଷଣା କରିଥିବା ସେ କହିଛନ୍ତି।

Share