ବନ୍ଧୁକ ଉଠାଇଲେ ଫେଡେରରଙ୍କୁ ହରାଇଥିବା ଖେଳାଳି

କ୍ୱିଭ,୧୭।୩: ୨୦୧୩ରେ ଟେନିସ୍‌ ଜଗତରେ ଏକ ବିପର୍ଯ୍ୟୟ ଘଟିଥିଲା। ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଓ୍ବିମ୍ବେଲଡନ ଓପନର ଦ୍ୱିତୀୟ ରାଉଣ୍ଡରେ ଡିଫେଣ୍ଡିଂ ଚାମ୍ପିୟନ ରୋଜର ଫେଡେରରଙ୍କୁ ହରାଇଥିଲେ ୟୁକ୍ରେନ ଖେଳାଳି ସେର୍ଗି ଷ୍ଟାଖୋଭସ୍କି। ଏବେ ସେ ଭଲ୍ୟୁଣ୍ଟର ଫାଇଟର ଭାବେ ରୁଷିଆ ବିରୋଧରେ ଯୁଦ୍ଧକୁ ଓହ୍ଲାଇଛନ୍ତି। ୩୬ ବର୍ଷୀୟ ପୂର୍ବତନ ଟେନିସ ଖେଳାଳି ଏବେ ମେଡାନ ଛକରେ କାଲାଶନିକୋଭ (ରାଇଫଲ) ସହ ପାଟ୍ରୋଲ କରୁଛନ୍ତି।

“ପାଖରେ ରାଇଫଲ ସହ ମୁଁ ସହଜ ମନେ କରୁଥିବା କହି ପାରିବି ନାହିଁ। ଜଣଙ୍କୁ ଗୁଳି କରିବା ପୂର୍ବରୁ ମୁଁ କେଉଁ ଭଳି ପ୍ରତିକ୍ରିୟା ଦେବି ତାହା ମୋତେ ଜଣାନାହିଁ। ଆଶା କରୁଛି, ମୋତେ ଏ ସବୁ କରିବାକୁ ପଡ଼ିବ ନାହିଁ। ମୁଁ ଏଠାରେ ଥିବା ମୋ ଛୁଆମାନେ ଜାଣିନାହାନ୍ତି। ସେମାନେ ଜାଣିଛନ୍ତି ମୁଁ ଘରେ ଅଛି। କିନ୍ତୁ ସେମାନେ ଯୁଦ୍ଧ କ’ଣ ଜାଣିନାହାନ୍ତି। ମୁଁ ସେମାନଙ୍କୁ ଏଥିରେ ସାମିଲ କରିବାକୁ ଚାହୁଁନାହିଁ। ମୁଁ ସେମାନଙ୍କୁ ଫେରିବି ବୋଲି କହିଛି। ୧୫ ଦିନ ହେଲାଣି ଏମିତି ଚାଲିଛି। ଆଉ କେତେ ଦିନ ଏଭଳି ପରିସ୍ଥିତି ଜାରି ରହିବ କେବଳ ଭଗବାନଙ୍କୁ ଗଣା। କିନ୍ତୁ ସେମାନଙ୍କ ବିରୋଧରେ ଆମେ ଛିଡ଼ା ନ ହେଲେ ଆମକୁ ରହିବା ପାଇଁ ଦେଶ ମିଳିବ ନାହିଁ” ବୋଲି ଷ୍ଟାଖୋଭସ୍କି କହିଛନ୍ତି।

ଦୁଇ ସପ୍ତାହ ହେଲା ୟୁକ୍ରେନ ଫେରିଥିବା ପୂର୍ବତନ ଟେନିସ ଖେଳାଳି ଆଞ୍ଚଳିକ ବ୍ରିଗେଡ୍‌ରେ ଭଲ୍ୟୁଣ୍ଟର ଭାବେ ଯୋଗ ଦେଇଛନ୍ତି। ଭଲ୍ୟୁଣ୍ଟରଙ୍କ କାର୍ଯ୍ୟ ହେଲା ରୁଷିଆ ଆକ୍ରମଣ ବିରୋଧରେ ୟୁକ୍ରେନ ସେନାକୁ ସହାୟତା କରିବା। ୟୁକ୍ରେନରେ ୧୮ରୁ ୬୦ ବୟସ ପର୍ଯ୍ୟନ୍ତ ସମସ୍ତ ପୁରୁଷଙ୍କ ଭଳି ଷ୍ଟାଖୋଭସ୍କି ମଧ୍ୟ ସେନାରେ ଯୋଗଦେବା ପାଇଁ ଯୋଗ୍ୟ ଏବଂ ଯୁଦ୍ଧ ଚାଲିଥିବା ବେଳେ ଦେଶ ଛାଡ଼ି ଯାଇ ପାରିବେ ନାହିଁ।

Share