Categories: ଜାତୀୟ

ଭାରତ ଜଳସୀମାରେ ରୋହିଙ୍ଗ୍ୟା

ନୂଆଦିଲ୍ଲୀ, ୨୩ା୨: ପ୍ରାୟ ୯୦ ରୋହିଙ୍ଗ୍ୟା ଏବଂ ୩ ବାଲାଂଦେଶ କ୍ରିଉ ସଦସ୍ୟଙ୍କ ସହ ଏକ ବୋଟ୍‌ ସୋମବାର ଭାରତର ଜଳସୀମା ଆଣ୍ଡାମାନ ନିକଟରେ ପହଞ୍ଚିଛି। ଜାତିସଂଘ ଏଜେନ୍ସି ଏବଂ ମାନବାଧିକାର ଗୋଷ୍ଠୀ ପକ୍ଷରୁ ଏ ନେଇ ଚିନ୍ତା ବ୍ୟକ୍ତ କରାଯିବା ସହ ସେମାନଙ୍କୁ ତୁରନ୍ତ ଉଦ୍ଧାର ପାଇଁ ଅନୁରୋଧ କରାଯାଇଛି। ଉକ୍ତ ବୋଟ୍‌ରେ ୬୫ ରୋହିଙ୍ଗ୍ୟା ସମ୍ପ୍ରଦାୟର ମହିଳା ଓ ଯୁବତୀ, ୨ରୁ କମ୍‌ ବର୍ଷର ୫ ଶିଶୁ ଏବଂ ୨୦ ଜଣ ପୁରୁଷ ଥିବା କ୍ରିଉ ସଦସ୍ୟମାନେ ଏକ ମାନବାଧିକାର ସଙ୍ଗଠନ ‘ଆରାକନ୍‌ ପ୍ରୋଜେକ୍ଟ’କୁ ସୂଚନା ଦେଇଛନ୍ତି। ଫେବୃୟାରୀ ୧୧ରେ ବୋଟ୍‌ଟି ବାଲାଂଦେଶର କକ୍ସ ବଜାରରୁ ବାହାରି ଦକ୍ଷିଣ-ପୂର୍ବ ଏସିଆ ଅଭିମୁଖେ ଯାଉଥିଲା। ୬ ଦିନ ତଳେ ବୋଟ୍‌ର ଇଞ୍ଜିନ ବନ୍ଦ ହୋଇଯିବାରୁ ଏହା ଆଣ୍ଡାମାନ ଦ୍ୱୀପ ଆଡ଼କୁ ଆସିଥିଲା। ଖାଦ୍ୟପାନୀୟ ଅଭାବରୁ ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଶରଣାର୍ଥୀଙ୍କ ପାଇଁ ଜାତିସଂଘ ଉଚ୍ଚାୟୁକ୍ତ(ୟୁଏନ୍‌ଚ୍‌ସିଆର୍‌)ଙ୍କୁ ଏ ବାବଦରେ ଅବଗତ କରାଯିବା ସହ ଭାରତୀୟ ନୌସେନା ଏବଂ କୋଷ୍ଟଗାର୍ଡମାନେ ସେମାନଙ୍କୁ ଉଦ୍ଧାର କରିବାକୁ ଭାରତ ସରକାରଙ୍କୁ ଅନୁରୋଧ କରାଯାଇଥିବା ଆରାକନ୍‌ ପ୍ରୋଜେକ୍ଟ ନିର୍ଦ୍ଦେଶକ କ୍ରିସ୍‌ ଲଓ୍ବୋ କହିଛନ୍ତି। ତେବେ ଉକ୍ତ ବୋଟ୍‌ କେଉଁଠାରୁ ଓ କିପରି ଆସିଛି ତାହା ଜାଣିବାକୁ ତଦନ୍ତ ଚାଲିଥିବା ଭାରତୀୟ ନୌସେନା ପକ୍ଷରୁ କୁହାଯାଇଛି।

Share