Categories: ଜାତୀୟ

ରିଲିଫ୍‌ କ୍ୟାମ୍ପ୍‌ ଛାଡ଼ିଲେ ରୋହିଙ୍ଗ୍ୟା

ଶ୍ରୀନଗର, ୮।୩ : ଅଟକ ଭୟରେ ଜମ୍ମୁ ରିଲିଫ୍‌ କ୍ୟାମ୍ପ୍‌ରୁ ଶତାଧିକ ରୋହିଙ୍ଗ୍ୟା ଶରଣାର୍ଥୀ ରବିବାର ଖସି ପଳାଇଯାଇଛନ୍ତି। ସେମାନେ ପ୍ରାୟ ୧୦ ବର୍ଷ ହେଲା ରିଲିଫ୍‌ କ୍ୟାମ୍ପ୍‌ରେ ଆଶ୍ରୟ ନେଇଥିଲେ। ଜମ୍ମୁ-କଶ୍ମୀର ସରକାର ଶନିବାର ସେମାନଙ୍କ ମଧ୍ୟରୁ ୧୬୦ ଜଣଙ୍କୁ ଅଟକ ରଖିବା ପରେ ଅନ୍ୟମାନେ କ୍ୟାମ୍ପ୍‌ ଛାଡ଼ି ପଳାଇଥିବା ଜଣାପଡ଼ିଛି।
ଜମ୍ମୁ-କଶ୍ମୀର ପ୍ରଶାସନ ଶନିବାର କେତେଜଣ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଡାକି ସେମାନଙ୍କୁ କଠୁଆ ଜିଲା ହୀରାନଗର ସବ୍‌ଜେଲ୍‌ରେ ନିର୍ମାଣ ହୋଇଥିବା ହୋଲ୍ଡିଂ ସେଣ୍ଟରରେ ରଖିଥିଲେ। ବିଦେଶୀ ଆଇନ ଅଧୀନରେ ଏହି ହୋଲ୍ଡିଂ ସେଣ୍ଟର ନିର୍ମାଣ କରାଯାଇଛି। ରୋହିଙ୍ଗ୍ୟାମାନଙ୍କ ପାଖରେ ବୈଧ ପାସ୍‌ପୋର୍ଟ ନ ଥିବାରୁ ସେମାନଙ୍କୁ ଉକ୍ତ ସେଣ୍ଟରକୁ ପଠାଯାଇଥିଲା। ଫଳରେ ଅନ୍ୟ ରୋହିଙ୍ଗ୍ୟା ଶରଣାର୍ଥୀମାନେ ଭୟରେ ପଳାଇଯାଇଛନ୍ତି। ସେମାନେ କୁଆଡ଼େ ଯିବେ ଜାଣିନାହାନ୍ତି। ନିଜ ଦେଶକୁ ଯାଇପାରିବେ ନାହଁ ବୋଲି ଅବ୍‌ଦୁଲ ହୋହିମ୍‌ ନାମକ ଶରଣାର୍ଥୀ କହିଛନ୍ତି। ସେ ୨୦୧୪ରୁ ଜମ୍ମୁ ରିଲିଫ୍‌ କ୍ୟାମ୍ପ୍‌ରେ ରହୁଥିଲେ।

Share