Categories: ଖେଳ

ସେମିଫାଇନାଲ ପୂର୍ବରୁ ରୋହିତ ଆହତ

ଆଡିଲେଡ୍‌,୯।୧୧(ପି.ଟି): ନେଟ୍ସରେ ଅଭ୍ୟାସ କରୁଥିବା ସମୟରେ ଆହତ ହୋଇଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା। ଇଂଲଣ୍ଡ ବିପକ୍ଷ ଟି୨୦ ସେମିଫାଇନାଲ ପୂର୍ବରୁ ମଙ୍ଗଳବାର ଅଭ୍ୟାସ କରୁଥିବା ସମୟରେ ରୋହିତଙ୍କ ହାତରେ ବଲ୍‌ ବାଜିଥିଲା। ଟିମ୍‌ ଇଣ୍ଡିଆର ଥ୍ରୋ ଡାଉନ୍‌ ଏକ୍ସପର୍ଟ ଏସ୍‌. ରଘୁଙ୍କ ବୋଲିଂର ସାମ୍ନା କରୁଥିଲେ ରୋହିତ। ରଘୁଙ୍କ ବାଉନ୍ସକୁ ପୁଲ୍‌ କରୁଥିବା ବେଳେ ତାଙ୍କ ହାତରେ ଆଘାତ ଲାଗିଥିଲା। ଏହାପରେ ରୋହିତ ଶର୍ମାଙ୍କୁ ଯନ୍ତ୍ରଣାରେ ଦେଖିବାକୁ ମିଳିଥିଲା। ହାତରେ ଆଘାତ ପରେ ଇଂଲଣ୍ଡ ବିପକ୍ଷ ସେମି ଫାଇନାଲରେ ରୋହିତଙ୍କ ଖେଳିବା ଉପରେ ଆଶଙ୍କା ଦେଖାଦେଇଥିଲା। କିଛି ସମୟ ହାତରେ ବରଫ ସେକ ଦେବା ପରେ ସେ ପୁନର୍ବାର ଅଭ୍ୟାସ ଆରମ୍ଭ କରିଥିଲେ। ଏହାପରେ ରୋହିତ କେବଳ ଡିଫେନ୍ସ କରୁଥିବାର ନଜର ଆସିଥିଲେ। ତେବେ ହାତର ଅବସ୍ଥା ଠିକ୍‌ ଥିବାରୁ ଏକ୍ସ-ରେ କିମ୍ବା ସିଟି ସ୍କାନର ଆବଶ୍ୟକତା ନ ଥିବା ଟିମ୍‌ ମ୍ୟାନେଜମେଣ୍ଟ ପକ୍ଷରୁ କୁହାଯାଇଛି। ସେହିପରି ଇଂଲଣ୍ଡ ବିପକ୍ଷ ମ୍ୟାଚ ପୂର୍ବରୁ ଭାରତୀୟ ଅଧିନାୟକ ସମ୍ପୂର୍ଣ୍ଣ ଫିଟ୍‌ ହେବା ନେଇ ଆଶା କରାଯାଉଛି। ଭାରତୀୟ ଦଳର ମେଣ୍ଟାଲ କଣ୍ଡିଶନିଂ କୋଚ ରହିଥିବା ପ୍ୟାଡି ଅପଟନ୍‌ ଦୀର୍ଘ ସମୟ ଧରି ରୋହିତଙ୍କ ସହିତ ଆଲୋଚନା କରିଥିଲେ।
ପୁଲ୍‌ ଶଟ୍‌ ରୋହିତ ଶର୍ମାଙ୍କ ସବୁଠାରୁ ପସନ୍ଦର ଶଟ୍‌। ଏହି ଶଟ୍‌ ଜରିଆରେ ସେ ସର୍ବାଧିକ ରନ୍‌ ମଧ୍ୟ ହାସଲ କରିଛନ୍ତି। ତେବେ ଏହି ଶଟ୍‌ରେ ସେ ସର୍ବାଧିକ ଥର ଆଉଟ୍‌ ମଧ୍ୟ ହୋଇଛନ୍ତି। ପୁଲ୍‌ ଶଟ୍‌ ଖେଳିବା ସମୟରେ ସେ ଜିମ୍ବାଓ୍ବେ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆଉଟ ହୋଇଥିବା ବେଳେ ବାଂଲାଦେଶ ବିପକ୍ଷରେ ବର୍ତ୍ତି ଯାଇଥିଲେ। ପ୍ରଥମ ସେମି ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ଖେଳିବାକୁ ଥିବା ବେଳେ ଗୁରୁବାର ଇଂଲଣ୍ଡ ସହିତ ମ୍ୟାଚ୍‌ ଖେଳିବ ଭାରତ।

Share