ମେଲବୋର୍ନ, ୩୧।୧୨(ପି.ଟି.)- ସିଡ୍ନୀରେ ଦୁଇ ସପ୍ତାହ କ୍ୱାରାଣ୍ଟାଇନ୍ରେ ରହିବାପରେ ତାରକା ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ବୁଧବାର ଭାରତୀୟ ଦଳରେ ଯୋଗ ଦେଇଛନ୍ତି। ଦ୍ୱିତୀୟ ଟେଷ୍ଟରେ ବିଜୟୀ ହୋଇଥିବା ଭାରତୀୟ ଦଳର ବ୍ୟାଟିଂ ବିଭାଗ ଏହାଦ୍ୱାରା ଅଧିକ ଶକ୍ତିଶାଳୀ ହୋଇଛି। କ୍ୱାରାଣ୍ଟାଇନ୍ ଅବଧି କଟାଇଥିବାରୁ ରୋହିତଙ୍କ ସ୍ବାସ୍ଥାବସ୍ଥା କିପରି ଅଛି ତାହାକୁ ମେଡିକାଲ ଟିମ୍ ପରୀକ୍ଷା କରିବାପରେ ତାଙ୍କୁ ତୃତୀୟ ଟେଷ୍ଟ ପାଇଁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯିବ କି ନାହିଁ ନିଷ୍ପତ୍ତି ନିଆଯିବ ବୋଲି କୋଚ୍ ରବି ଶାସ୍ତ୍ରୀ ପ୍ରକାଶ କରିଛନ୍ତି। ଗତ ଇଣ୍ଡିଆନ ପ୍ରିମିୟର ଲିଗ୍ ଅବସରରେ ରୋହିତ ହାମଷ୍ଟ୍ରିଙ୍ଗ୍ ଇଞ୍ଜୁରିରେ ପୀଡ଼ିତ ହୋଇଥିଲେ। ସୁସ୍ଥ ହେବାପରେ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ ଏକାଡେମୀରେ ତାଙ୍କ ଫିଟ୍ନେସ ଟେଷ୍ଟ କରାଯାଇଥିଲା। ଫିଟ୍ ହେବାପରେ ସେ ଦଳସହ ଯୋଗଦେବାପାଇଁ ଯୋଗ୍ୟ ହୋଇଥିବା ଗତ ୧୧ ତାରିଖରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ଘୋଷଣା କରାଯାଇଥିଲା। ସିଡ୍ନୀରେ ଶୁବମନ ଗିଲ୍ଙ୍କ ସହ ରୋହିତ ଇନିଂସ ଓପନ କରିବା ଉଚିତ ବୋଲି କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର ମତ ଦେଇଛନ୍ତି। ତେବେ ରୋହିତଙ୍କୁ ସାମିଲ କ୍ଷେତ୍ରରେ କାହାକୁ ବାହାରେ ରହିବାକୁ ପଡ଼ିବ ତା’ ଉପରେ ନଜର ରହିବ।