ଲିଡ୍ସ,୨୭।୮: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତୀୟ ଓପନର ରୋହିତ ଶର୍ମା ୫୯ ରନ୍ର ଇନିଂସ ଖେଳିଛନ୍ତି। ତାଙ୍କ ଅର୍ଦ୍ଧଶତକୀୟ ପାଳିରେ ସାମିଲ ଥିଲା ୭ ଚୌକା ଓ ଗୋଟିଏ ଛକା ଲଗାଇଥିଲେ। ଏହି ଛକା ସହିତ ସେ ପୂର୍ବତନ ଭାରତୀୟ ଅଧିନାୟକ କପିଳ ଦେବଙ୍କୁ ପଛରେ ପକାଇ ଦେଇଛନ୍ତି। ଟେଷ୍ଟ ଫର୍ମାଟରେ ସର୍ବାଧିକ ସଂଖ୍ୟକ ଛକା ମାରିଥିବା ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ଚତୁର୍ଥ ସ୍ଥାନକୁ ଉଠିଛନ୍ତି ରୋହିତ।
ତାଙ୍କ ନାମରେ ୬୨ଟି ଛକା ଥିବା ବେଳେ କପିଳ ଦେବ ତାଙ୍କ ଟେଷ୍ଟ କ୍ୟାରିୟରରେ ୬୧ ଛକା ଲଗାଇଥିଲେ। ଏହି ତାଲିକା ଶୀର୍ଷରେ ଅଛନ୍ତି ପୂର୍ବତନ ଭାରତୀୟ ଓପନର ବୀରେନ୍ଦ୍ର ସେହ୍ବାଗ। ସେ ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରେ ୯୦ ଛକା ମାରିଥିଲେ। ତାଙ୍କ ପଛକୁ ତାଲିକାରେ ରହିଛନ୍ତି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ (୭୮ ଛକା) ଓ ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର (୬୯)।