ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ରୋହିତଙ୍କ ପ୍ରଶଂସା

ସମ୍ବଲପୁର,୧୯ା୮(ଭବାନୀ ଶଙ୍କର ଭୋଇ): ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଶନିବାର ଅଚାନକ ସମ୍ବଲପୁର ସଦର ତହସିଲ କାର୍ଯ୍ୟାଳୟରେ ପହଞ୍ଚି ସ୍ଥିତି ପରଖିଥିଲେ। ମନ୍ତ୍ରୀଙ୍କ ଆକସ୍ମିକ ପରିଦର୍ଶନ କାର୍ଯ୍ୟକ୍ରମକୁ ତାଙ୍କର ସମର୍ଥକ ଓ ଜନସାଧାରଣ ସାମାଜିକ ଗଣମାଧ୍ୟମରେ ବେଶ୍‌ ପ୍ରଶଂସା କରୁଛନ୍ତି। ମନ୍ତ୍ରୀମାନେ ସରକାରୀ କାର୍ଯ୍ୟାଳୟରେ ପହଞ୍ଚି ସରକାରୀ ବାବୁମାନଙ୍କ କାର୍ଯ୍ୟର ସମୀକ୍ଷା କରିବା ନେଇ ମତାମତ ଦେଉଛନ୍ତି। ତେବେ ହ୍ବାଟ୍ସଆପରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ସମ୍ବଲପୁର ଜିଲା ସଭାପତି ଇଂ. ରୋହିତ ପୂଜାରୀ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଏକ ଭିଡିଓ ଶେୟାର କରି ପ୍ରଶଂସା କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ବିରୋଧୀ ବିଜେଡିର ନେତା ଭାଜପା ସରକାରଙ୍କ ମନ୍ତ୍ରୀଙ୍କୁ ପ୍ରଶଂସା କରିବା ହୁଏତ ନୂଆ କିମ୍ବା ପ୍ରଥମ ଘଟଣା ନୁହେଁ। ତେବେ ସରକାରୀ କର୍ମଚାରୀ ଏବଂ ଅଧିକାରୀମାନଙ୍କ ବାବୁଗିରି ନେଇ ଲୋକଙ୍କ ଅଭିଯୋଗ ଏବଂ ଆକ୍ରୋଶ ରହିଆସିଥିବା ବେଳେ ବିରୋଧୀ ଦଳର ଜଣେ ନେତାଙ୍କ ଏଭଳି ସ୍ତୁତିଗାନକୁ ନେଇ ସାମାଜିକ ଗଣମାଧ୍ୟମରେ ବିତର୍କ ଆରମ୍ଭ ହୋଇଛି। ୨୪ବର୍ଷ ଧରି ବିଜେଡି ସରକାରରେ ଥିବା ବେଳେ ରୋହିତ ନିଜେ ମଧ୍ୟ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି। ତେଣୁ ବହୁ ବର୍ଷ ଧରି ସମ୍ବଲପୁର ତହସିଲ କାର୍ଯ୍ୟାଳୟରେ ରହି ଆସିଥିବା ଅବ୍ୟବସ୍ଥା ନେଇ ସେ ଆଗରୁ ସୂଚନା ପାଇଥିଲେ ନା ନାହିଁ ବୋଲି କେତେଜଣ ଲୋକ ସୋସିଆଲ ମିଡିଆରେ ପ୍ରଶ୍ନ କରିଛନ୍ତି। ପୁଣି ନିଜେ କାହିଁକି ମନ୍ତ୍ରୀ ଭାବେ ଆଗରୁ ଏଭଳି ପରିଦର୍ଶନ କରି ନ ଥିଲେ ବୋଲି ଆଉ କେତେକ ପ୍ରଶ୍ନ ପଚାରିଛନ୍ତି। ତେବେ ରୋହିତ ପୂଜାରୀ ନିଜ ପୋଷ୍ଟରେ ପ୍ରକୃତରେ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ପ୍ରଶଂସା କରିବା ଛଳରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ମଧ୍ୟ ତହସିଲ କାର୍ଯ୍ୟାଳୟ ଯାଇ ତଦାରଖ କରି ନ ଥିଲେ ବୋଲି ଲେଖିଥିଲେ। ଏହାପରେ ଜୟନାରାୟଣଙ୍କ ସମର୍ଥକମାନେ ରୋହିତଙ୍କ ଉପରେ ସାମାଜିକ ଗଣମାଧ୍ୟମରେ ଆକ୍ରମଣ ଆରମ୍ଭ କରିଥିଲେ। ପୂର୍ବ ସରକାରଙ୍କ ଅପାରଗତାକୁ ରୋହିତ ସ୍ବୀକାର କରୁଛନ୍ତି କି ବୋଲି ପାଲଟା ପ୍ରଶ୍ନ ପଚାରିଛନ୍ତି। ଏଭଳି ଆରୋପ ପ୍ରତ୍ୟାରୋପକୁ ନେଇ ଶନିବାର ରାତିସାରା ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏପରିକି ରୋହିତଙ୍କ ପୋଷ୍ଟକୁ ନେଇ ରବିବାର ଲୋକେ ଭିନ୍ନ ମତ ପ୍ରକାଶ କରିଛନ୍ତି। ଅନେକେ ରୋହିତ ଜଣେ ରାଜନେତା ଭାବେ ଭଲ କାମକୁ ପ୍ରଶଂସା କରିବାକୁ ସ୍ବାଗତ କରିବା ଯଥାର୍ଥ ବୋଲି ଲେଖିଛନ୍ତି ା ଆଉ କେତେକ ପୁଣି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି, ରୋହିତ ଅଯଥାରେ ସାମାଜିକ ଗଣମାଧ୍ୟମରେ ମତଦେଇ ନିଜ ଦଳକୁ ଅଡୁଆରେ ପକାଉଛନ୍ତି।