Categories: Uncategorized

ଶାହିନଙ୍କ ବିପକ୍ଷରେ ପ୍ରଥମ ଓଭରରେ ଛକା ମାରି ଇତିହାସ ରଚିଲେ ରୋହିତ ଶର୍ମା

କଲମ୍ବୋ,୧୦।୯: ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ରୋହିତ ଶର୍ମା ପାକିସ୍ତାନ ବିପକ୍ଷ ଏସିଆ କପ୍‌ ୨୦୨୩ର ସୁପର ୪ ମୁକାବିଲାରେ ନୂଆ ରେକର୍ଡ ନିଜ ନାମରେ କରିଛନ୍ତି। ଟସ୍‌ ହାରିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଟିମ୍‌ ଇଣ୍ଡିଆର ଓପନିଂ କରିବାକୁ ଓହ୍ଲାଇଥିଲେ ରୋହିତ ଏବଂ ଶୁଭମନ ଗିଲ। ସେହିଭଳି ପାକିସ୍ତାନ ତରଫରୁ ଶାହିନ ଶାହା ଆଫ୍ରିଦି ପ୍ରଥମେ ବୋଲିଂ କରିବାକୁ ମଇଦାନକୁ ଓହ୍ଲାଇଥିଲେ।

ପାକିସ୍ତାନ ବିପକ୍ଷ ପ୍ରଥମ ମୁକାବିଲାରେ ଶାହିନଙ୍କ ବଲ୍‌ରେ ବୋଲ୍ଡ ହୋଇଥିଲେ ରୋହିତ। ହେଲେ ସେ ସୁପର ୪ ମୁକାବିଲାରେ ଆକ୍ରାମକ ହୋଇ ବ୍ୟାଟିଂ ଆରମ୍ଭ କରିଥିଲେ। ଏମିତିରେ ରୋହିତ ଶାହିନଙ୍କ ଓଭରର ଶେଷ ବଲ୍‌ରେ ଛକା ମାରି ନିଜ ଖାତା ଖୋଲିଥିଲେ। ଫଳରେ ସେ କ୍ରିକେଟରେ ଶାହିନଙ୍କ ପ୍ରଥମ ଓଭରରେ ଛକା ମାରିଥିବା ଦୁନିଆର ପ୍ରଥମ ବ୍ୟାଟ୍ସମ୍ୟାନ୍‌ ପାଲଟିଛନ୍ତି।

ଶାହିନ ପ୍ରାରମ୍ଭିକ ଓଭରରେ ଉଇକେଟ ନେବାକୁ ନେଇ ଜଣାଶୁଣା। ଏଣୁ ତାଙ୍କ ବିରୋଧରେ କେହି ଛକା ମାରିବାକୁ ଚାହିଁ ନ ଥାନ୍ତି। ରେକର୍ଡ ଦେଖିଲେ ସେ ଦିନିକିଆ କ୍ରିକେଟ କ୍ୟାରିୟରରେ ପ୍ରଥମ ଓଭରରେ ୧୫୬ ବଲ୍‌ ପକାଇଛନ୍ତି। ହେଲେ ପ୍ରଥମଥର ଲାଗି କୌଣସି ବ୍ୟାଟ୍ସମ୍ୟାନ୍‌ ତାଙ୍କ ବଲ୍‌ରେ ଛକା ମାରିଛନ୍ତି।