Categories: ଖେଳ

ଇତିହାସ ରଚିଲେ ହିଟ୍‌ମ୍ୟାନ୍‌

ଦୁବାଇ,୧।୯: ଭାରତୀୟ ଅଧିନାୟକ ରୋହିତ ଶର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ୩୫୦୦ ରନ ସ୍କୋର କରିବାର ସଫଳତା ଡାହାଣହାତୀ ବ୍ୟାଟ୍ସମ୍ୟାନ ରୋହିତଙ୍କ ନାମରେ ରେକର୍ଡ କରାଯାଇଛି। ସେ ଏସିଆ କପ ୨୦୨୨ର ଚତୁର୍ଥ ମ୍ୟାଚ ହଂକଂ ବିପକ୍ଷ ରେ ବୁଧବାର ଏହି ସଫଳତା ହାସଲ କରିଛନ୍ତି। ରୋହିତ ତାଙ୍କ ଇନିଂସ ସମୟରେ ଏକ ରନ ସ୍କୋର କରିବା ମାତ୍ରେ ଟି-୨୦ଅନ୍ତର୍ଜାତୀୟ ପୁରୁଷ କ୍ରିକେଟରେ ୩୫୦୦ ରନ ସ୍କୋର କରିବାରେ ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ରୋହିତ ହାରାହାରି ୩୨.୧୧ରେ ରନ ସଂଗ୍ରହ କରିଛନ୍ତି। ତାଙ୍କ ପୂର୍ବରୁ ମହିଳା କ୍ରିକେଟରେ ଏହି ସଫଳତା ନ୍ୟୁଜିଲାଣ୍ଡର ସୁଜି ବେଟ୍ସ କରିଛନ୍ତି।
ରୋହିତ ହଂକଂ ବିପକ୍ଷରେ ୨୧ ରନର ଇନିଂସ ଖେଳିଥିଲେ। ସେ ୧୩ ବଲରେ ଦୁଇଟି ଚୌକା ଓ ଗୋଟିଏ ଛକା ମାରିଥିଲେ।
ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ ସ୍କୋରର୍‌ ତାଲିକାରେ ରୋହିତଙ୍କ ପରେ ନ୍ୟୁଜିଲାଣ୍ଡର ମାର୍ଟିନ ଗୁପ୍ଟିଲ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ତାଙ୍କ ନାମରେ ୩୪୯୭ ରନ ଅଛି। ଗୁପ୍ଟିଲ ହାରାହାରି ୩୧.୭୯ରେ ଏହି ରନ ସ୍କୋର କରିଛନ୍ତ। ଏଥି ସହିତ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ୩୩୪୩ ରନ ସହ ତୃତୀୟ ସ୍ଥାନରେ ଅଛନ୍ତି।

Share