ଅହମ୍ମଦାବାଦ,୨୧।୩: ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ନିର୍ଣ୍ଣାୟକ ଟି୨୦ ମ୍ୟାଚ୍ରେ ବିଜୟ ସହ ସିରିଜ ହାତେଇଛି ଭାରତୀୟ କ୍ରିକେଟ ଟିମ୍। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା ଘରୋଇ ଟିମ୍। ପ୍ରଥମେ ଓପନିଂ କରିବାକୁ ଆସିଥିବା ରୋହିତ ଶର୍ମା ଏବଂ ବିରାଟ କୋହଲି ଦମ୍ଦାର ବ୍ୟାଟିଂ କରି ଦଳକୁ ମଜଭୂତ ସ୍ଥିତିକୁ ଆଣିଥିଲେ। ପ୍ରଥମ ଉଇକେଟ ପାଇଁ ଉଭୟ ୯୪ରନ୍ର ଭାଗିଦାରି କରିଥିଲେ। ରୋହିତ ୩୪ ବଲ୍ରେ ୬୪ ରନ୍ କରିଥିଳେ। ଏଥିରେ ୪ ଚୌକା ଏବଂହ ୫ ଛକା ରହିଥିଲା। ଏହି ଅର୍ଦ୍ଧଶତକ ପାଳିରେ ହିଟ୍ମ୍ୟାନ୍ ଆଉ ଏକ ଉପଲବ୍ଧି ହାସଲ କରିଛନ୍ତି। ସେ ୟୁନିଭର୍ସ ବସ୍ ତଥା ଓ୍ବେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲଙ୍କ ନାମରେ ଥିବା ଛକା ରେକର୍ଡ ଭାଙ୍ଗିଛନ୍ତି।
ଟିି୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ରେ ଗୋଟିଏ ପାଳିରେ ୫ ଅଥବା ତାଠାରୁ ଅଧିକ ଛକା ମାରିଥିବା ବିଶ୍ୱର ପ୍ରଥମ କ୍ରିକେଟର ସେ ପାଲଟିଛନ୍ତି। ଏଭଳି ସେ ୧୦ ଥର କରିଛନନ୍ତି। ଇଂଲଣ୍ଡ ବିପକ୍ଷ ପଞ୍ଚମ ଟି୨୦ ମ୍ୟାଚ୍ ପୂର୍ବରୁ ସେ ଗେଲଙ୍କ ସମକକ୍ଷ ଥିଲେ। ହେଲେ ୯ମ ଓଭରର ଦ୍ୱିତୀୟ ବଲ୍ରେ ୫ମ ଛକା ମାରିବା ପରେ ସେ ଗେଲ୍ଙ୍କୁ ଟପିଯାଇଛନ୍ତି। ଏବେ ଗେଲ ଏବଂ କୋଲିନ୍ ମୁନରୋ ଉଭୟ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେମାନେ ଗୋଟିଏ ପାଳିରେ ୯ ଥର ୫ ଛକା ମାରିଛନ୍ତି।
ଏହାଛଡ଼ା ଟି୨୦ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ସର୍ବାଧିକ ରନ୍ କରିବା ମାମଲାରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି। ମ୍ୟାଚ୍ ପୂର୍ବରୁ ସେ ତୃତୀୟ ସ୍ଥାନରେ ରହିଥିଲେ। ହେଲେ ଏବେ ସେ ଗୋଟିଏ ପାଦ ଉପରକୁ ଉଠିଛନ୍ତି।