ଅହମ୍ମଦାବାଦ,୩।୩: ଭାରତୀୟ ଓପନର୍ ରୋହିତ ଶର୍ମା ଏବେ ଭଲ ଫର୍ମରେ ଅଛନ୍ତି। ଅହମ୍ମଦାବାଦରେ ଖେଳା ଯାଇଥିବା ତୃତୀୟ ଟେଷ୍ଟରେ ଖରାପ ଉଇକେଟ ସତ୍ତ୍ୱେ ରୋହିତ ୬୬ ଏବଂ ଅପରାଜିତ ୨୫ ରନ୍ କରିଥିଲେ। ଉଭୟ ପାଳିରେ ସେ ଦଳରୁ ସର୍ବାଧିକ ରନ୍ କରିଥିବା ଖେଳାଳି ପାଲଟିଥିଲେ।
ଗୁରୁବାରଠାରୁ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ଖେଳାଯିବ। ଏହି ଟେଷ୍ଟ ମ୍ୟାଚ୍ ରୋହିତଙ୍କ ପାଇଁ ଖାସ ସାବ୍ୟସ୍ତ ହୋଇପାରେ। ମ୍ୟାଚ୍ରେ ଦୁଇଟି ଉପଲବ୍ଧି ସେ ହାସଲ କରିପାରନ୍ତି। ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନ୍ଶିପ୍ରେ ୧୦୦୦ରନ୍ ପୂରଣ କରିବାରୁ ସେ ମାତ୍ର ୧୯ ରନ୍ ଦୂରରେ। ଏହାଛଡ଼ା ସବୁଠାରୁ ଅଧିକ ଛକା ମାରିବାର ରେକର୍ଡ ନିଜ ନାମରେ କରିବାର ବଡ଼ ସୁଯୋଗ ତାଙ୍କ ହାତରେ ରହିଛି। ଏଯାବତ ସେ ବିଶ୍ୱ ଚାମ୍ପିୟନ୍ଶିପ୍ରେ ୨୭ ଛକା ମାରିଛନ୍ତି। ଯଦି ସେ ଆଉ ୩ଟି ଛକା ମାରନ୍ତି ତେବେ ବେନ୍ ଷ୍ଟୋକ୍ସ(୨୯)ଙ୍କ ରେକର୍ଡ ଭାଙ୍ଗିପାରିବେ।