Categories: ଖେଳ

କୋହଲିଙ୍କ ଖରାପ ଫର୍ମକୁ ନେଇ ମୁହଁ ଖୋଲିଲେ ରୋହିତ ଶର୍ମା

ଲଣ୍ଡନ,୧୧।୭: ଇଂଲଣ୍ଡ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ଟିମ ଇଣ୍ଡିଆକୁ ୧୭ ରନ୍‌ରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ଟିମ ଇଣ୍ଡିଆ କିନ୍ତୁ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ ୨-୧ରେ ଜିତିବାରେ ସଫଳ ହୋଇଥିଲା। ଏହା ସତ୍ତ୍ୱେ ବିରାଟ କୋହଲି ସିରିଜରେ ଖରାପ ପ୍ରଦର୍ଶନ ପରେ ସମାଲୋଚକଙ୍କ ଟାର୍ଗେଟରେ ଅଛନ୍ତି। କିନ୍ତୁ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ତାଙ୍କ ସମର୍ଥନରେ ବହାରିଛନ୍ତି।
ଦ୍ୱିତୀୟ ଟି-୨୦ରେ ବିରାଟ କୋହଲି ୧ ଏବଂ ତୃତୀୟ ଟି-୨୦ରେ ୧୧ ରନ କରିଥିଲେ। ନିରାଶାଜନକ ପ୍ରଦର୍ଶନ ପରେ ବିଶ୍ୱକପ ଦଳରେ ବିରାଟ କୋହଲି ଚୟନକୁ ନେଇ ପ୍ରଶ୍ନ ଉଠିଛି। ତେବେ ବିରାଟ କୋହଲିଙ୍କ ସହ ପୁରା ଦଳ ଛିଡା ହୋଇଥିବା ରୋହିତ ଶର୍ମା ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ଆମେ ବିରାଟ କୋହଲିଙ୍କ ସହ ଅଛୁ। ବିରାଟ କୋହଲି ୧୦ ବର୍ଷ ଧରି କ୍ରମାଗତ ଭାବରେ ଦଳକୁ ବିଜୟ ଦେଇଛନ୍ତି। ଗୋଟିଏ କିମ୍ବା ୨ଟି ମ୍ୟାଚ୍‌ରେ ଯେକୌଣସି ଖେଳାଳିଙ୍କ ପ୍ରଦର୍ଶନ ଖରାପ ହୋଇପାରେ।
କପିଲ ଦେବ ବିରାଟ କୋହଲିଙ୍କୁ ଦଳରେ ନେଇ ଉଠାଇ ଥିବା ପ୍ରଶ୍ନର ଉତ୍ତରରେ ରୋହିତ ଶର୍ମା କହିଛନ୍ତି, ବାହାରେ ଯାହା କୁହାଯାଉଛି ତାହା ଆମେ ଶୁଣୁ ନାହୁଁ। ଆମେ ଜାଣୁ ଭିତରେ କଣ ଚାଲିଛି। ଆମେ ବାହାର ବିଷୟରେ ଚିନ୍ତା କରୁନାହୁଁ। ଆମେ ପ୍ରତ୍ୟେକ ଖେଳାଳିଙ୍କ କ୍ୱାଲିଟିରେ ବିଶ୍ୱାସ କରୁ।
ସୂଚନାଯୋଗ୍ୟ, ଏଜବାଷ୍ଟନ ଟେଷ୍ଟରେ ବିରାଟ କୋହଲି ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିବାରେ ସକ୍ଷମ ହୋଇ ନ ଥିଲେ। ତେବେ ଇଂଲଣ୍ଡ ବିପକ୍ଷ ସିରିଜରେ ନିରାଶାଜନକ ପ୍ରଦର୍ଶନ ପରେ ବିରାଟ କୋହଲିଙ୍କ ପାଇଁ ଆଗାମୀ ରାସ୍ତା ସହଜ ହେବ ନାହିଁ।

Share