Categories: ଖେଳ

୧୭ ହଜାର ରନ୍‌ ପୂର୍ଣ୍ଣ କଲେ ରୋହିତ

ଅହମ୍ମଦାବାଦ,୧୧ା୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟ ମ୍ୟାଚରେ ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏକ ବଡ଼ ସଫଳତା ହାସଲ କରିଛନ୍ତି। ରୋହିତ ମ୍ୟାଚରେ ୨୧ ରନ୍‌ କରିବା ମାତ୍ରେ ଅନ୍ତର୍ଜାତୀୟ କ୍ରିକେଟରେ ୧୭ ହଜାର ରନ୍‌ ପୂରଣ କରିଥିଲେ। ରୋହିତ ଏହା ହାସଲ କରିବା ପରେ ଭାରତର ସପ୍ତମ ତଥା ବିଶ୍ୱର ୨୮ତମ ଖେଳାଳି ହୋଇ ପାରିଛନ୍ତି। ଚତୁର୍ଥ ଟେଷ୍ଟ ମ୍ୟାଚର ତୃତୀୟ ଦିନର ପ୍ରଥମ ଅଧିବେଶନରେ ରୋହିତ ଶର୍ମା ୩୫ ରନ୍‌ କରି ପାଭିଲିୟନକୁ ଫେରିଥିଲେ।
ରୋହିତ ଶର୍ମା ବିରାଟ କୋହଲି, ସଚ୍ଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ, ସୌରଭ ଗାଙ୍ଗୁଲି, ଏମ୍‌ଏସ୍‌ ଧୋନି ଏବଂ ବୀରେନ୍ଦ୍ର ସେହ୍ବାଗଙ୍କ ୧୭ ହଜାର ରନ୍‌ କ୍ଲବରେ ସ୍ଥାନ ହାସଲ କରିଛନ୍ତି। ମାଷ୍ଟର ବ୍ଲାଷ୍ଟର ସଚ୍ଚିନ ତେନ୍ଦୁଲକର ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ୍‌ ସଂଗ୍ରହ କରିବାର ରେକର୍ଡ ରଖିଛନ୍ତି। ସେ ନିଜ କ୍ୟାରିୟରର ୬୬୪ ମ୍ୟାଚରେ ହାରାହାରି ୪୮.୫୨ହାରରେ ୩୪,୩୫୭ ରନ ସଂଗ୍ରହ କରିଥିଲେ। ସଚ୍ଚିନଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ୩୦ ହଜାର ରନ୍‌ ଅତିକ୍ରମ କରିପାରି ନାହାନ୍ତି। ମାଷ୍ଟର ବ୍ଲାଷ୍ଟର ପରେ ତାଲିକାର ଦ୍ୱିତୀୟ ନମ୍ବର ହେଉଛି ଶ୍ରୀଲଙ୍କାର ଭେଟେରାନ କୁମାର ସାଙ୍ଗାକରା। ପୂର୍ବତନ ଉଇକେଟକିପର ବ୍ୟାଟ୍ସମ୍ୟାନ ସାଙ୍ଗାକରାଙ୍କ ନାମରେ ୨୮,୦୧୬ ରନ୍‌ ରହିଛି।
ରୋହିତ ଶର୍ମା ୪୯ ଟେଷ୍ଟ ମ୍ୟାଚ ଖେଳି ୪୬.୭୬ ରନ୍‌ ହାରରେ ୩୩୬୫ ରନ ସଂଗ୍ରହ କରିଛନ୍ତି। ହିଟ୍‌ମ୍ୟାନ ୯ ଶତକ ଏବଂ ୧୯ ଅର୍ଦ୍ଧଶତକ ହାସଲ କରିଛନ୍ତି। ରୋହିତ ୪୮.୯୧ ରନ୍‌ ହାରରେ ୨୪୧ ଦିନିକିଆରେ ୧୦,୮୮୨ ରନ୍‌ ସଂଗ୍ରହ କରିଛନ୍ତି। ଟି -୨୦ରେ ୧୪୮ ମ୍ୟାଚ ଖେଳି ୩୮୫୩ ରନ୍‌ କରିବାରେ ସକ୍ଷମ ହୋଇଛନ୍ତି।

Share