Categories: ଖେଳ

ବଡ଼ ଇନିଂସ ନ ହେଲେ ବି ଗୋଟିଏ ଛକା ମାରି ରେକର୍ଡ କଲେ ଭାରତୀୟ ଅଧିନାୟକ

ମୋହାଲି,୨୦।୯: ଅଷ୍ଟ୍ରେଲିଆ ବିପକ୍ଷରେ ମଙ୍ଗଳବାର ପ୍ରଥମ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳୁଛି ଭାରତ। ଏହି ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ବଡ଼ ଇନିଂସ ଖେଳିପାରି ନ ଥିଲେ ହେଁ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ରୋହିତ ଏକ ଛକା ମାରି ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଛକା ମାରିଥିବା ବ୍ୟାଟ୍ସମ୍ୟାନ ହେବାର ରେକର୍ଡ କରିଛନ୍ତି। ତେବେ ରୋହିତ ଏହି ମାମଲାରେ ନ୍ୟୁଜିଲ୍ୟାଣ୍ଡର ଅଭିଜ୍ଞ ଓପନର୍‌ ମାର୍ଟିନ ଗୁପ୍ତିଲଙ୍କ ସମକକ୍ଷ ହୋଇଛନ୍ତି। ଏହାର ଅର୍ଥ ହେଉଛି ଉଭୟ ଏବେ ମିଳିତ ଭାବେ ଟି -୨୦ ଆନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଛକା ମାରିବା ତାଲିକାର ଶୀର୍ଷରେ ଅଛନ୍ତି।

ଉଭୟ ରୋହିତ ଶର୍ମା ଏବଂ ମାର୍ଟିନ ଗୁପ୍ତିଲ ଟି -୨୦ ଆନ୍ତର୍ଜାତୀୟ କ୍ରିକେଟରେ ୧୭୧ ଛକା ମାରିଛନ୍ତି। ଗୁପ୍ତିଲଙ୍କୁ ଅତିକ୍ରମ କରିବାକୁ ରୋହିତଙ୍କୁ ଦୁଇଟି ଛକା ମାରିବାର ଆବଶ୍ୟକତା ଥିଲା। ହେଲେ ସେ ଗୋଟିଏ ଛକା ମାରିବାରେ ସଫଳ ହୋଇଥିଲେ।

ଉଲ୍ଲେଖଥାଉ କି, ରୋହିତ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରେ ଅନେକ ରେକର୍ଡ ନିଜ ନାମରେ କରିଛନ୍ତି। ସେ ସର୍ବାଧିକ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବା ବ୍ୟତୀତ ସର୍ବାଧିକ ରନ ସ୍କୋରର୍‌ ମଧ୍ୟ ଅଟନ୍ତି। ଏହାଛଡ଼ା ଟି -୨୦ ଆନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଶତକ ହାସଲ କରିଥିବା ବ୍ୟାଟ୍ସମ୍ୟାନ ହେଉଛନ୍ତି ସେ ।

Share