ଅହମ୍ମଦାବାଦ,୧୦।୨: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ରେ କ୍ଲିନ ସୁଇପ୍ ଲକ୍ଷ୍ୟ ନେଇ ଓହ୍ଲାଇବ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ। ଯଦି ଏପରି ହୁଏ, ତେବେ ୨୦୧୭ ପରେ ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆ ଦିନିକିଆ ସିରିଜ୍ ମୂଳପୋଛ କରିବ। ଅନ୍ତିମ ଥର ଶ୍ରୀଲଙ୍କା ବିପକ୍ଷ ସିରିଜ୍ରେ ଭାରତ କ୍ଲିନ ସୁଇପ୍ ହାସଲ କରିଥିଲା। ସେହିଭଳି ୨୦୧୪ରେ ଶ୍ରୀଲଙ୍କାକୁ ୫-୦ରେ ହରାଇବା ପରେ ଟିମ୍ ଇଣ୍ଡିଆ ଘରୋଇ ପରିବେଶରେ ହ୍ବାଇଟ୍ ଓ୍ବାଶ ସୁଖ ପାଇ ନାହିଁ।
ଟିମ୍ ଇଣ୍ଡିଆ କ୍ଲିନ୍ ସୁଇପ୍ ହାସଲ କରିବାରେ ସଫଳ ହେଲେ ରୋହିତ ମହାନ ଭାରତୀୟ ଅଧିନାୟକଙ୍କ ତାଲିକାରେ ସାମିଲ ହେବେ। ସେ ୮ମ ଭାରତୀୟ ଅଧିନାୟକ ଭାବେ ଏହି ସଫଳତା ହାସଲ କରିପାରନ୍ତି। ଏହି ତାଲିକାରେ କପିଳ ଦେବ, ଦୀଲିପ ଭେଙ୍ଗସରକର, ମହମ୍ମଦ ଆଝାରୁଦ୍ଦିନ, ମହେନ୍ଦ୍ର ସିଂ ଧୋନୀ, ଗୌତମ ଗମ୍ଭୀର, ବିରାଟ କୋହଲି ଓ ଅଜିଙ୍କ୍ୟ ରାହାନେ ରହିଛନ୍ତି।