Categories: ଖେଳ

ଶତକରୁ ଅଳ୍ପକେ ବର୍ତ୍ତିଲେ ରୋହିତ ଶର୍ମା: ଇଂଲଣ୍ଡକୁ ୨୩୦ ରନ୍‌ର ଟାର୍ଗେଟ୍‌ ଦେଲା ଭାରତ

ଲକ୍ଷ୍ନୌ,୨୦।୧୦: ବିଶ୍ୱକପ୍‌ର ଏକ ମ୍ୟାଚ୍‌ରେ ଭାରତ ଇଂଲଣ୍ଡକୁ ୨୩୦ ରନ୍‌ର ଟାର୍ଗେଟ ଦେଇଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୫୦ ଓଭରରେ ୯ ଉଇକେଟ ହରାଇ ୨୨୯ ରନ ସଂଗ୍ରହ କରିଛି। ଭାରତୀୟ ଦଳ ହେଉଛି ଏକମାତ୍ର ଦଳ ଯିଏକି ଏହି ବିଶ୍ୱକପ୍‌ରେ ଏପର୍ଯ୍ୟନ୍ତ ଅଲଆଉଟ ହୋଇନାହିଁ। ରୋହିତ ଶର୍ମା ଭାରତ ପାଇଁ ଅଧିନାୟକ ଇନିଂସ ଖେଳି ୮୭ ରନ ସଂଗ୍ରହ କରିଥିଲେ। ସୂର୍ଯ୍ୟକୁମାର ଯାଦବ ୪୯ ରନର ଇନିଂସ ଖେଳିଥିଲେ। ଇଂଲଣ୍ଡ ପାଇଁ ଡେଭିଡ ୱିଲି ସର୍ବାଧିକ ୩ଟି ଉଇକେଟ ନେଇଥିଲେ।
ଏହାପୂର୍ବରୁ ଇଂଲଣ୍ଡ ଅଧିନାୟକ ଜୋସ ବଟଲର୍‌ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଟିମ ଇଣ୍ଡିଆର ଆରମ୍ଭ ବହୁତ ଖରାପ ଥିଲା। ୧୩ ବଲରେ ରନ ସ୍କୋର କରିବା ପରେ ଓପନର୍‌ ଶୁଭମନ ଗିଲ ଆଉଟ ହୋଇଥିଲେ। ବିରାଟ କୋହଲି କୌଣସି ରନ ସ୍କୋର ନ କରି ପାଭିଲିୟନକୁ ଫେରିଥିଲେ। ୧୬ଟି ବଲରେ ଶ୍ରେୟସ ଆୟର ୪ ରନ ସଂଗ୍ରହ କରିଥିଲେ। ଭାରତୀୟ ଦଳର ତିନି ଖେଳାଳି ୪୦ ରନ ସ୍କୋରରେ ପାଭିଲିୟନକୁ ଫେରିଥିଲେ। କିନ୍ତୁ ଏହା ପରେ ରୋହିତ ଶର୍ମା ଏବଂ କେ.ଏଲ ରାହୁଲଙ୍କ ମଧ୍ୟରେ ଭଲ ଭାଗିଦାରୀ ହୋଇଥିଲା। ଚତୁର୍ଥ ଉଇକେଟ ପାଇଁ ଉଭୟ ଖେଳାଳି ୯୧ ରନ ଯୋଡିଥିଲେ। ୫୮ବଲରେ ୩୯ ରନ ସ୍କୋର କରିବା ପରେ କେ.ଏଲ ରାହୁଲ ଆଉଟ ହୋଇଥିଲେ।
ଗୋଟିଏ ପଟେ ଭାରତର ଉଇକେଟ୍‌ ପଡି ଚାଲିଥିବାବେଳେ ଅନ୍ୟପଟେ ଅଧିନାୟକ ରୋହିତ ଶର୍ମା ଦୃଢ ଭାବରେ ରହିଥିଲେ। ରୋହିତ ଶର୍ମା ଆଉଟ ହୋଇଥିଲେ ଟିମ ଇଣ୍ଡିଆର ସ୍କୋର ୧୮୨ ରନ ଥିଲା। ୧୩ ବଲରେ ୮ ରନ ସ୍କୋର କରିବା ପରେ ରବିନ୍ଦ୍ର ଜାଡେଜା ଆଉଟ୍‌ ହୋଇଥିଲେ।
ଇଂଲଣ୍ଡ ପକ୍ଷରୁ ଡେଭିଡ ୱିଲି ସବୁଠାରୁ ସଫଳ ବୋଲର ଥିଲେ। ଡେଭିଡ ୱିଲି ୩ ଜଣ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ତାଙ୍କର ଶିକାର କରିଥିଲେ। ଏହା ବ୍ୟତୀତ କ୍ରିସ ୱୁକସ ଏବଂ ଆଦିଲ ରସିଦଙ୍କୁ ୨-୨ ସଫଳତା ମିଳିଥିଲା। ମାର୍କ ଉଡ୍‌ ଗୋଟିଏ ଉଇକେଟ ନେଇଥିଲେ।

Share