Advertisement

ଏମିତି ପ୍ରଶ୍ନ ଶୁଣି ରାଗିଗଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୬।୯: ଦିନିକିଆ ବିଶ୍ୱକପ ପାଇଁ ଭାରତର ୧୫ ସଦସ୍ୟ ବିଶିଷ୍ଟ ଦଳ ଘୋଷଣା ହୋଇଛି। ଏହାପରେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଅଧିନାୟକ ରୋହିତ ଶର୍ମାଙ୍କ ସହ ଏକ ସାମ୍ବାଦିକ ଡକାଇଥିଲେ। ଦୁହେଁ ଏକାଠି ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇଥିଲେ। ଏହି ସମୟରେ ରୋହିତ ଶର୍ମାଙ୍କୁ ଏପରି ପ୍ରଶ୍ନ ପଚରାଯାଇଥିଲା ଯେ ସେ ରାଗିଯାଇଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ରୋହିତ ଶର୍ମାଙ୍କୁ ପଚରାଯାଇଥିଲା ଯେ, ଯେତେବେଳେ ବି ଭାରତୀୟ ଦଳ ପାକିସ୍ତାନ ବିପକ୍ଷରେ ଖରାପ ପ୍ରଦର୍ଶନ କରେ, ପଡ଼ିଆ ବାହାରେ ପରିବେଶ ନଷ୍ଟ ହୋଇଯାଏ। ତେଣୁ ସେ ଏଥିରେ ରାଗିଗଲେ। ରୋହିତ ନିଜ ଶୈଳୀରେ ରାଗିଯାଇ କହିଥିଲେ, ଦେଖନ୍ତୁ ମୁଁ ଭାବୁନାହିଁ ଯେ ଏହା ଅଧିକ ପରିବର୍ତ୍ତନ କରେ ଏବଂ ବିଶ୍ୱକପରେ ମଧ୍ୟ ମୋତେ ଏହି ସବୁ ପ୍ରଶ୍ନ ପଚାର ନାହିଁ, ଆମେ ବାହାର କଥା ପ୍ରତି ଧ୍ୟାନ ଦେବାକୁ ଚାହୁଁନାହୁଁ। ଏହା ବିଷୟରେ କଥାବାର୍ତ୍ତା କରିବାର କୌଣସି ଅର୍ଥ ନାହିଁ। ଆମର ଧ୍ୟାନ ଅନ୍ୟତ୍ର ଅଛି, ଏବଂ ଆମେ ଏକ ଦଳ ଭାବରେ ସେହି ଜିନିଷ ଉପରେ ଧ୍ୟାନ ରଖିବାକୁ ଚାହୁଁଛୁ।
ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ, ଅଫ ସ୍ପିନର ଆର ଅଶ୍ୱିନ ଏବଂ ୱାଶିଂଟନ ସୁନ୍ଦର ଦଳରେ ସ୍ଥାନ ପାଇନାହାଁନ୍ତି। ଯେଉଁମାନେ ଦଳରେ ସ୍ଥାନ ପାଇପାରିନାହାଁନ୍ତି ସେମାନଙ୍କୁ ନେଇ ରୋହିତ ଶର୍ମା କହିଛନ୍ତି ଯେ, ଦଳର ଲାଭ ପାଇଁ ଅନେକ ଥର ଦଳ ପରିଚାଳନାକୁ କଠୋର ନିଷ୍ପତ୍ତି ନେବାକୁ ପଡ଼ିବ। ଆମକୁ ଦେଖିବାକୁ ପଡିବ କିଏ ଫର୍ମରେ ଅଛନ୍ତି। ଏହା ସବୁବେଳେ ଘଟେ। କ୍ରିକେଟରେ ଦଳର ଆବଶ୍ୟକତା ଅନୁଯାୟୀ କଠୋର ନିଷ୍ପତ୍ତି ନେବାକୁ ପଡିବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share