Categories: ଖେଳ

ରାଗିଗଲେ ରୋହିତ ଶର୍ମା: କହିଲେ, ଆଉ କୌଣସି ବାହାନା ଚଳିବନି

ଢାକା,୫।୧୨: ବାଂଲାଦେଶ ବିପକ୍ଷ ପ୍ରଥମ ଦିନିକିଆରେ ପରାଜୟ ପାଇଁ ଭାରତୀୟ ଅଧିନାୟକ ରୋହିତ ଶର୍ମା ବ୍ୟାଟ୍ସମ୍ୟାନଙ୍କୁ ଦାୟୀ କରିଛନ୍ତି। ଢାକା ମୀରପୁର ଠାରେ ଏକ କମ ସ୍କୋରର ମ୍ୟାଚରେ ଟିମ ଇଣ୍ଡିଆ ଗୋଟିଏ ଉଇକେଟରେ ଘରୋଇ ଦଳଠାରୁ ହାରିଥିଲା। ଦଳର ବ୍ୟାଟିଂ ବିଫଳତା ଉପରେ ରୋହିତ ଶର୍ମା ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି,ଖେଳାଳିମାନେ କିପରି ଖେଳିବେ ତାହା ସେମାନଙ୍କୁ ବୁଝିବାକୁ ପଡ଼ିବ। ଭାରତୀୟ ବ୍ୟାଟ୍ସମ୍ୟାନ୍‌ମାନେ ବାଂଲାଦେଶୀ ସ୍ପିନରଙ୍କୁ ସଠିକ ମୁକାବିଲା କରିପାରି ନଥିଲେ। ଆମେ କିପରି ସ୍ପିନ ବୋଲରଙ୍କୁ ସାମ୍ନା କରିବୁ ସେଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଆମେ ସ୍ପିନରଙ୍କୁ ଖେଳି ବଡ ହୋଇଛୁ। ତେଣୁ ଆଉ କୌଣସି ବାହାନା ଚଳିବନି।
ଏହି ମ୍ୟାଚରେ ଭାରତ ୧୮୬ ରନରେ ଅଲଆଉଟ୍‌ ହୋଇଯାଇଥିଲା। ଏହି ସ୍କୋରକୁ ପିଛା କରି ଏକଦା ବାଂଲାଦେଶ ଦଳ ୧୩୬ ରନରେ ୯ ଉଇକେଟ ହରାଇଥିଲା। ଏହା ପରେ ମେହେଦି ହାସନ ମିରାଜ ମୁସ୍ତାଫିଜୁର ରହମାନଙ୍କ ସହ ମିଶି ଦଳକୁ ଜିତାଇଥିଲେ। ଏହି ବିଜୟ ସହିତ ବାଂଲାଦେଶ ସିରିଜରେ ୧-୦ ଅଗ୍ରଣୀ ହାସଲ କରିଛି। ସିରିଜର ପରବର୍ତ୍ତୀ ମ୍ୟାଚ ଡିସେମ୍ବର ୭ରେ ଢାକାର ଶେର୍‌-ଇ-ବଙ୍ଗଳା ଷ୍ଟାଡିୟମରେ ଖେଳାଯିବ।

Share